ଥଇଥାନ ଦାବି କଲେ ବାସହରା ଲୋଧା ସମ୍ପ୍ରଦାୟ ଲୋକେ

ଉଦଳା,୧୧।୪(ଡି.ଏନ.ଏ.): ବନ ବିଭାଗ ପକ୍ଷରୁ ଗତ ୩ତାରିଖରେ ଉଦଳା ଥାନା ଅନ୍ତର୍ଗତ ପାଟଶାଣୀପୁର ପଞ୍ଚାୟତର ଅମ୍ବିକାଦେଇପୁର ଗ୍ରାମ ଜାମପାଣିରେ ଥିବା ଲୋଧା ସମ୍ପ୍ରଦାୟର ୨୮ ଘର ଉଚ୍ଛେଦ କରାଯାଇଥିଲା। ଏହାର ପ୍ରତିବାଦରେ ସୋମବାର ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ, ଯୁବତୀ ଯୁବକ ଓ ଛୋଟ ପିଲା ଉପ ଜିଲାପାଳଙ୍କୁ ଭେଟି ଥଇଥାନ ଦାବି କରିଛନ୍ତି। ଉପ ଜିଲାପାଳ ସୁଶାନ୍ତ କୁମାର ବାରିକ, ଭାରପ୍ରାପ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା, ସହକାରୀ ଜିଲାପାଳ ମନୋଜ କୁମାର ସାହୁ ଓ ସମାଜ ମଙ୍ଗଳ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେବ ଶିମିଳିପାଳ ଭିତରେ ବସବାସ କରୁଥିବା ଲୋଧା ସମ୍ପ୍ରଦାୟ ପରିବାରଗୁଡ଼ିକୁ ଉଚ୍ଛେଦ କରିବା ନେଇ ସ୍ଥାନୀୟ ଗ୍ରାମବାସୀ ଦାବିକରି ଆସୁଥିଲେ। ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପରେ ବନ ବିଭାଗ ପକ୍ଷରୁ ଲୋଧା ସମ୍ପ୍ରଦାୟର ୨୮ ଘର ଉଚ୍ଛେଦ କରାଯାଇଥିଲା।