ଭିଟାମାଟି ହରାଇ ବିସ୍ଥାପିତ ନିରାଶ୍ରୟ

ଯୋଡ଼ା,୫ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପର ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବିଲେଇ ପଦା ଗ୍ରାମର ୨୨ଟି ଘରକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ତେବେ ଘର ନିର୍ମାଣ ପାଇଁ ସମୟ ଦିଆ ନ ଯାଇ କ୍ଷତିପୂରଣ ଅର୍ଥ ପ୍ରଦାନର ଖୁବ୍‌ ସମୟ ମଧ୍ୟରେ ଉଚ୍ଛେଦ କରାଯାଇଥିବାରୁ ବିସ୍ଥାପିତମାନେ ନିରାଶ୍ରୟ ହୋଇ ପଡ଼ିଛନ୍ତି। ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବିଲ ତହସିଲଦାର ତଥା ମାଜିଷ୍ଟ୍ରେଟ ଆଲୋକ କୁମାର ପଟେଲ, କାନପୁର ପ୍ରକଳ୍ପର ଜୋନ୍‌ ଅଧିକାରୀ ଚରଣ କୁମାର ନାଏକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, କାନପୁର ପ୍ରକଳ୍ପରେ ୧୬ଟି ଗ୍ରାମକୁ ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ବିସ୍ଥାପିତଙ୍କ ଘରକୁ ପୂର୍ବରୁ ଉଚ୍ଛେଦ କରାଯାଇଛି। କ୍ଷତିଗ୍ରସ୍ତ ହେଉଥିବା ବିଲେଇ ପଦା ଗ୍ରାମ ଆଂଶିକ ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ଏହି ଉଚ୍ଛେଦ ପ୍ରକ୍ରିୟାରେ ମେଶିିନ ଲଗାଇ ଭାଙ୍ଗି ଦିଆଯାଇଛି। ୨୨ଟି ପରିବାରର ୫୮ଜଣଙ୍କୁ ବିସ୍ଥାପିତ ତାଲିକାରେ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଭୁକ୍ତ କରାଯାଇ ଘରଗୁଡ଼ିକର କ୍ଷତିପୂରଣ ଦିଆଯାଇଛି। ତେବେ ଏହି କ୍ଷତିଗ୍ରସ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଗତ ମାର୍ଚ୍ଚ ମାସରେ ଜମି ଓ ଘରଗୁଡ଼ିକର କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର କ୍ଷତିପୂରଣ ପ୍ରଦାନର ୧୫ଦିନ ମଧ୍ୟରେ ଘରଗୁଡ଼ିକୁ ଉଚ୍ଛେଦ କରାଯାଇଥିବାରୁ ସେମାନେ ନିରାଶ୍ରୟ ହୋଇ ଯାଇଛନ୍ତି। ଏଥି ମଧ୍ୟରୁ କେତେକ ପରିବାରକୁ ମାତ୍ର ଦୁଇ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇ ସେମାନଙ୍କର ଘର ଭାଙ୍ଗି ଦିଆଯାଇଛି। ସେମାନେ ଅଭିଯୋଗରେ କହିଛନ୍ତି ଯେ, ଗୋଟିଏ ଘର ନିର୍ମାଣ କରିବା ପାଇଁ ୬ମାସରୁ ଅଧିକ ସମୟ ଲାଗିଥାଏ। କ୍ଷତିପୂରଣ ଟଙ୍କା ପ୍ରଦାନ କରିବାର ଖୁବ୍‌ ସମୟ ମଧ୍ୟରେ ଘର ଉଚ୍ଛେଦ କରାଯାଇଥିବାରୁ ସେମାନେ ଏବେ ତାଙ୍କ ପିଲାଛୁଆଙ୍କୁ ଧରି କିପରି ଆଶ୍ରୟ ନେବେ ଏ ନେଇ ଚିନ୍ତାରେ ପଡ଼ିଥିବା କହିଛନ୍ତି। ଘର ନିର୍ମାଣ ପାଇଁ ସମୟ ମାଗିଥିଲେ ମଧ୍ୟ ପ୍ରକଳ୍ପ ପକ୍ଷରୁ ସେମାନଙ୍କୁ ସମୟ ଦିଆ ଯାଇ ନ ଥିବା ଏବଂ ଭିଟାମାଟି ହରାଇଥିବାରୁ ସେମାନେ ଅତି ଦୟନୀୟ ଅବସ୍ଥାରେ ରହୁଥିବା କହିଛନ୍ତି।