ହୋମିଓପାଥିକ ଚିକିତ୍ସାରେ ଅବ୍ୟବସ୍ଥା

କୋଦଳା,୨୬ା୯(ଅମିତ କୁମାର ପଟ୍ଟନାୟକ): ବେଗୁନିଆପଡା ବ୍ଲକରେ ଥିବା ହୋମିଓପାଥିକ ଚିକିତ୍ସା କେନ୍ଦ୍ର ଦୁଇଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବ୍ଲକର ବେରୁଆଁବାଡ଼ି ଏବଂ ବଡ଼ଗୁଡ଼ିଆଳି ଗ୍ରାମରେ ହୋମିଓପାଥିକ ଚିକିତ୍ସାକେନ୍ଦ୍ର ଅଛି। ବଡ଼ଗୁଡ଼ିଆଳି ସ୍ବାସ୍ଥ୍ୟକେନ୍ଦ୍ର ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି। ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିମନ୍ତେ କୋଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ ବର୍ଷ ହେଲା କାମ ଚାଲୁଥିବା ବେଳେ ତାହା ଶେଷ ହେଉନାହିଁ। ଅଧାପନ୍ତରିଆ ଉକ୍ତ ଗୃହ ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି। ସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକାରୀ ହୋଇ ନ ଥିବାରୁ ମର୍ଦ୍ଦ୍‌ମେଖ ପଞ୍ଚାୟତ କାର୍ଯ୍ୟାଳୟର ଏକ ଘର ବାରଣ୍ଡାରେ ଟେବୁଲ ପକାଇ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏଠାରେ ଥିବା ଡାକ୍ତର ଅନାମ ମହାପାତ୍ର ବେରୁଆଁବାଡ଼ି ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ମଧ୍ୟ ଅଛନ୍ତି। ସହକାରୀ ଡାକ୍ତର ପଦବୀ ଥିବାବେଳେ ଦୀର୍ଘଦିନ ହେଲା ଖାଲି ପଡିଛି। ତେଣୁ ଡାକ୍ତର ଜଣଙ୍କ ବଡ଼ଗୁଡ଼ିଆଳିରେ ୩ ଦିନ ଏବଂ ବେରୁଆଁବାଡ଼ିରେ ୩ ଦିନ ଦାୟିତ୍ୱ ସମ୍ଭାଳୁଛନ୍ତି। ସପ୍ତାହର ଅନ୍ୟ ୩ଦିନ ଚତୁର୍ଥ ଶ୍ରେଣୀ କର୍ମଚାରୀ ସମ୍ଭାଳୁଛନ୍ତି। ବଡ଼ଗୁଡ଼ିଆଳି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷପାଇଁ କୋଦଳା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁ ନ ଥିବା କହିଛନ୍ତି ଡାକ୍ତର। ରୋଗୀଙ୍କ ପାଇଁ ଆସୁଥିବା ଔଷଧ ପଞ୍ଚାୟତର ଏକ ଗୃହରେ ରହୁଛି। ସେହିପରି ୧୯୭୧ରେ ସ୍ଥାପିତ ବେରୁଆଁବାଡ଼ି ଗ୍ରାମରେ ଥିବା ହୋମିଓପାଥିକ ସ୍ବାସ୍ଥ୍ୟକେନ୍ଦ୍ର ବିନା କର୍ମଚାରୀରେ ଚାଲିଛି। ୫ବର୍ଷ ହେଲା ବଡ଼ଗୁଡ଼ିଆଳି ଡାକ୍ତର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ସହକାରୀ ଡାକ୍ତର ଏବଂ କୌଣସି ପିଅନ ମଧ୍ୟ ଦୀର୍ଘ ଦିନ ହେଲା ଖାଲି ପଡିଛି। ଯାହାଫଳରେ ପୂର୍ବରୁ ଥିବା ପିଅନ ଚାକିରିରୁ ଅବସର ପରେ ବି ନିଜସ୍ବ ଇଚ୍ଛାରେ ଆସି ସ୍ଥାନୀୟ ଲୋକଙ୍କୁ ସେବା ଯୋଗାଉଛନ୍ତି। ଜଣେ ଡାକ୍ତର ବିନା କର୍ମଚାରୀରେ ୨ଟି ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱ ଥିବାରୁ ରୋଗୀଙ୍କ ଚିକିତ୍ସା କିପରି ହେଉଛି ତାହା ପ୍ରଶ୍ନବାଚୀ। ଗ୍ରାମାଞ୍ଚଳରେ ହୋମିଓପାଥିକ ଔଷଧ ଉପରେ ରୋଗୀ ନିର୍ଭର କରୁଥିବା ବେଳେ ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଯୋଗୁଁ ସ୍ଥାନୀୟ ଜନସାଧାରଣ ବିଭିନ୍ନ ବେସରକାରୀ ହୋମିଓପାଥିକ ଦୋକାନ ଉପରେ ନିର୍ଭର କରୁଛନ୍ତି। ତୁରନ୍ତ ଆବଶ୍ୟକୟ କର୍ମଚାରୀ ଯୋଗାଇ ଉଭୟ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ ବାସୀ ଦାବି କରିଛନ୍ତି।