ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା

ବେତନଟୀ,୯।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରସ୍ଥିତ କୋଭିଡ୍‌ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଭାଗୀୟ କର୍ମଚାରୀଙ୍କ ଢିଲା ନୀତି, ପ୍ରିୟା ପ୍ରୀତି ତୋଷଣ ମନୋବୃତ୍ତିକୁ ନେଇ ଏହି ଟିକାକରଣ କେନ୍ଦ୍ରରେ ବାରମ୍ବାର ଉତ୍ତେଜନା ପ୍ରକାଶ ପାଉଛି। ଏଠାରେ ୩୦୦ ଟିକା ଉପଲବ୍ଧ ହେଉଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଧାଡ଼ି ବାନ୍ଧି ଛିଡ଼ା ହେଉଥିବାରୁ ମାତ୍ରାଧିକ ଜନଗହଳି ଲାଗି ରହୁଛି। ଏଥିପାଇଁ ଅଧିକାଂଶ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ବେଳେବେଳେ ପୋଲିସକୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ୁଛି।
ଥାଉକି, ଗୁରୁବାର ହେବାକୁ ଥିବା ଟିକାକରଣ ପାଇଁ ବହୁ ଦୂରରୁ ଅଟୋ ଭଡ଼ାକରି ଆସିଥିବା ଶତାଧିକ ଲୋକ ତଥା ପାଖ ଗଁାର ଜନ ସାଧାରଣ ବୁଧବାର ସାରୁ ଧାଡ଼ି ଲଗାଇଥିଲେ। ବିଳମ୍ବିତ ରାତିରେ ପରିବାରର ଛୋଟ ପିଲାଙ୍କୁ ଧରି ବିପଦସଂକୁଳ ଭାବେ ରାସ୍ତାକଡ଼ରେ ପଡ଼ି ରହିଥିଲେ। ପରିତାପର ବିଷୟ ଆଲୋକ ବ୍ୟବସ୍ଥା ଥିବା ଟିକା କେନ୍ଦ୍ର ବାରଣ୍ଡାକୁ ମଧ୍ୟ ସେମାନଙ୍କୁ ପ୍ରବେଶ କରିବାକୁ ଦିଆ ଯାଉନାହିଁ। ରାତି ଉଜାଗର ରହି ଟିକା ପାଇଁ ଅପେକ୍ଷାରତ ଲୋକଙ୍କୁ ଆଗ ଟିକା ଦିଆ ନ ଯାଇ ସକାଳୁ ବିଳମ୍ବରେ ଆସୁଥିବା ତଥା ଟିକାକେନ୍ଦ୍ରରେ ନିୟୋଜିତ କେତେଜଣ କର୍ମଚାରୀ ସେମାନଙ୍କ ସମ୍ପର୍କୀୟଙ୍କୁ ପ୍ରଧାନ୍ୟତା ଦେଉଛନ୍ତି। ଅନେକ ସମୟରେ ଭ୍ୟାକ୍ସିନ ଓ ଟୋକନ ସମାନ ପରିମାଣର ଥିବାବେଳେ ଆଗ ଭ୍ୟାକ୍ସିନ ସରିଯାଉଥିବାରୁ ବିନା ଟୋକନରେ ବି କିଛି ଭ୍ୟାକ୍ସିନ ଦିଆଯାଉଥିବା ଅଭିଯୋଗ ହେଉଛି। ଏ ବାବଦରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଯେଉଁ କର୍ମଚାରୀମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କୁ ଟିକାକରଣ କେନ୍ଦ୍ରରୁ ହଟାଇ ଦିଆଯାଇଛି ଓ ଆଗକୁ ଟୀକାକରଣ ସୁରୁଖୁରୁରେ ଚାଲିବ ବୋଲି କହିଛନ୍ତି। ଜିଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ବିଭିନ୍ନ ମହଲରେ ଦାବି ହେଉଛି।