Categories: ଜାତୀୟ

କରୋନା ରୋଗୀଙ୍କ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ

ସୁରତ,୭।୫: ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି ହୋଇଛି। କରୋନାର ଠିକ ସମୟରେ ଚିକିତ୍ସାର ଅଭାବ ହେତୁ କିଛି ରୋଗୀଙ୍କ ଆଖି ମଧ୍ୟ ବାହାର କରିବାକୁ ପଡୁଛି। କରୋନା ପରେ ରୋଗୀଙ୍କଠାରେ ମ୍ୟୁକୋରମାଇକୋସିସ ହେବାର ଆଶଙ୍କା ବଢିଯାଇଛି। ଏହି ରୋଗ ହେଲେ ରୋଗୀଙ୍କୁ ନିଜ ଆଖି ହରାଇବା ବିପଦ ରହିଥିବାବେଳେ ମୃତ୍ୟୁ ଆଶଙ୍କା ମଧ୍ୟ ରହିଛି। ଗୁଜରାଟର ସୁରତରେ, ୧୫ଦିନ ମଧ୍ୟରେ ଏହିପରି ୪୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୮ ଜଣ ରୋଗୀଙ୍କ ଆଖି ବାହାର କରିବାକୁ ପଡିଛି।

ଗୁଜରାଟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଶଯ୍ୟା ଏବଂ ଅମ୍ଳଜାନ ଅଭାବ ଦେଖାଦେଇଛି। ମ୍ୟୁକୋରମାଇକୋସିସ ରୋଗ ଏତେ ବିପଜ୍ଜନକ ଯେ ଯଦି ଏହାର ଠିକ୍‌ ସମୟରେ ଚିକିତ୍ସା କରା ନ ଯାଏ ତେବେ ରୋଗୀର ଆଖିକୁ ବାହାର କରିବାକୁ ପଡିବ କିମ୍ବା ସେ ମୃତ୍ୟୁବରଣ କରିବାର ସମ୍ଭାବନା ରହିଛି। ଡାକ୍ତରଙ୍କ କହିବାନୁସାରେ, ମ୍ୟୁକୋରମାଇକୋସିସ ଏକ ପ୍ରକାର ଫଙ୍ଗଲ ସଂକ୍ରମଣ, ଯାହା ନାକ ଏବଂ ଆଖି ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚିଯାଏ ଫଳରେ ରୋଗୀ ମୃତ୍ୟୁବରଣ କରିଥାଏ। ଗତ ବର୍ଷ କରୋନାର ପ୍ରଥମ ପର୍ଯ୍ୟାୟରେ ଏହି ରୋଗ ବିଷୟରେ ସୂଚନା ମିଳିପାରି ନଥିଲା, କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଏଭଳି ଘଟଣା ବଢିବାରେ ଲାଗିଛି। ପୂର୍ବରୁ କରୋନା ରୋଗୀମାନେ ଆଖି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧାକୁ ହାଲୁକା ଭାବରେ ଗ୍ରହଣ କରୁଥିଲେ, କିନ୍ତୁ ଏଥର ଏହାର ପ୍ରଭାବ ଅଧିକ ଦେଖାଦେଉଛି।

 

Share