ଧର୍ମେନ୍ଦ୍ରଙ୍କ ଲଢ଼ିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଢେଙ୍କାନାଳ,୧ା୧୨ (ରତନ ନାୟାର):ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ଆସନରୁ ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶେଷକରି ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ରାଜନୀତି ଆରମ୍ଭ ହୋଇଛି। ଭାଜପାର କେତେଜଣ ବରିଷ୍ଠ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସମ୍ବଲପୁର ଲୋକ ସଭା ଆସନରୁ ଲଢ଼ିପାରନ୍ତି ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା କରୁଥିବା ବେଳେ ଭାଜପାର ଅନ୍ୟତମ ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଢେଙ୍କାନାଳରୁ ଲଢ଼ିବେ, ଅନ୍ୟ କାହାକଥା ଶୁଣିବା ଦରକାର ନାହିଁ ବୋଲି ନିଜ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ଭାଜପାର ଦୁଇଗୋଷ୍ଠୀ ନେତାଙ୍କ ମଧ୍ୟରେ ରାଜନୀତି ବାତାବରଣ ବେଶ୍‌ ସରଗରମ ହୋଇଛି। ଅନ୍ୟପଟରେ ଢେଙ୍କାନାଳ ଓ ସମ୍ବଲପୁରକୁ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଗସ୍ତ ମଧ୍ୟ ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି। ଏ ସମ୍ପର୍କରେ ଜିଲା ଭାଜପା ସଭାପତି ନରେନ୍ଦ୍ରଚନ୍ଦ୍ର ମହାପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଓ ଢେଙ୍କାନାଳ ଦୁଇଟି ଯାକ ଲୋକ ସଭା କ୍ଷେତ୍ରକୁ ନଜରରେ ରଖିଛନ୍ତି। ତେଣୁ ଏହାକୁ ନେଇ ବହୁତ ଆଲୋଚନା ହେବ। କିନ୍ତୁ ସେ ଢେଙ୍କାନାଳ ଲୋକ ସଭା ଆସନରୁ ଲଢ଼ନ୍ତୁ ବୋଲି ଆମେ ଆଗ୍ରହ ପ୍ରକାଶ କରୁଛୁ। ଭାଜପାର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭା ଆସନରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାର ଦାୟିତ୍ୱ ନେଇଛନ୍ତି। ସେଥିପାଇଁ ସମ୍ବଲପୁର ମଧ୍ୟ ଗସ୍ତ କରୁଛନ୍ତି। କିନ୍ତୁ ଏହାକୁ ନେଇ କେତେଜଣ ଦଳୀୟ ଲୋକ ଓ ବିରୋଧୀ ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢ଼ିବେ ବୋଲି କହି ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ନିଜ ଜନ୍ମମାଟି ଢେଙ୍କାନାଳ ଲୋକ ସଭା କ୍ଷେତ୍ରରୁ ଲଢ଼ିବେ ବୋଲି ରାମପାତ୍ର କହିଛନ୍ତି।