ସହରବାସୀଙ୍କ ଉତ୍ତମ ଚିକିତ୍ସା ସମ୍ପର୍କରେ ଆଲୋଚନା

ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନ୍ୟାଶନାଲ ଅର୍ବାନ ହେଲ୍‌ଥ ମିଶନ୍‌ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହରୀ ଲୋକଙ୍କୁ କିଭଳି ଉତ୍ତମମାନର ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବ ସେ ନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ କେତେଜଣ କାଉନ୍‌ସିଲର ଉପସ୍ଥିତ ଥିଲେ।
ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏ ନେଇ ଆଶାକର୍ମୀଙ୍କ ସହ ସ୍ବାସ୍ଥ୍ୟ କର୍ମୀମାନେ ଲୋକଙ୍କୁ ସଚେତନ କରିବେ। ସେହିଭଳି ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରିବେ। ପ୍ରତ୍ୟେକ ୱାର୍ଡରେ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ଗଢ଼ାହେବ। ଲୋକଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ କର୍ମଶାଳା କରାଯାଇ ସଚେତନ କରାଯିବ। ଅନ୍ୟପକ୍ଷରେ ମିଶ୍ରପଡ଼ାରେ ଚାଲିଥିବା ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥାୟୀ ଗୃହ ହୁଲୁରିସିଂହାଠାରେ ନିର୍ମାଣ ଚାଲିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଆଲୋଚନା ହୋଇଥିଲା। ଏଥିସହ ଅନ୍ୟ ଏକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସହରରେ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମେଡିକାଲ ନିର୍ମାଣ ହେବା ପରେ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ। ଆସନ୍ତା ବର୍ଷକୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯିବ ବୋଲି ଆଲୋଚନା ହୋଇଛି। ଅନୁଗୋଳ ସହରରେ ଏବେ ଶହେରେ ୭୦ ଜଣଙ୍କ ନିକଟରେ ମେଦବହୁଳତା ଓ ଉଚ୍ଚ ରକ୍ତଚାପ ରୋଗ ଦେଖିବାକୁ ମିଳୁଛି। ତେଣୁ ଏହାର ମୂଳୋତ୍ପାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ମେଦବହୁଳତା ଓ ରକ୍ତଚାପ ପରୀକ୍ଷା କରାଯିବାକୁ ସୁବିଧା ପ୍ରଦାନ କରାଯିବ। ଏଥିସହ ପ୍ରତ୍ୟକ ୱାର୍ଡର କାଉନସିଲରମାନଙ୍କୁ ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବାକୁ ଗୁରୁଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ଏହି ବୈଠକରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ସହ ଲୋକଙ୍କୁ କିଭଳି ସୁବିଧା ପ୍ରଦାନ କରାଯିବ ସେ ନେଇ ଅବଗତ କରାଯାଇଥିଲା।