ପ୍ରାଚୀନ ଐତିହାସିକ ଲେଖନୀ ସମ୍ବନ୍ଧରେ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଶୁକ୍ରବାର ‘ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲେଖନୀରେ ସ୍ବାଧୀନତା ସଂଗ୍ରାମୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ବିଭିନ୍ନ ପ୍ରାଚୀନ ଐତିହାସିକ ଲେଖନୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସଂଜୟ ମିଶ୍ର ଉଦ୍‌ଘାଟକ ଭାବେ ଯୋଗଦେଇ ଐତିହାସିକ ପାଣିଗ୍ରାହୀଙ୍କ ଲେଖା ସମ୍ପର୍କରେ ଆଲୋକପାତ କରିଥିଲେ। ବକ୍ତା ଭାବେ ଲେଖକ ଡ. ଜୟନ୍ତୀ ରଥ ଯୋଗଦେଇ ଐତିହାସିକ କୃଷ୍ଣଚନ୍ଦ୍ରଙ୍କ ଲେଖନୀରେ ସ୍ବାଧୀନତା ସଂଗ୍ରାମୀ ଯୋଗଦାନ ସମ୍ପର୍କିତ ଏକ ସମ୍ୟକ ସୂଚନା ପ୍ରଦାନ କରିବା ସହ ତାଙ୍କର କୀର୍ତ୍ତି ଓ କୃତି ସମ୍ବନ୍ଧରେ କହିଥିଲେ। ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶା ଇତିହାସର ଅନେକ ଲୁକ୍କାୟିତ ଅଧ୍ୟାୟକୁ ଗବେଷଣା ମାଧ୍ୟମରେ କିପରି ଲୋକଲୋଚନକୁ ଆଣିପାରିଥିଲେ ସେ ସମ୍ବନ୍ଧରେ ଡ. ରଥ ବର୍ଣ୍ଣନା କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସଂଗୀତ ପରିବେଷଣ କରିଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥିଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମକୁ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷା ଶୁଚିସ୍ମିତା ମନ୍ତ୍ରୀ ସଂଯୋଜନା କରିଥିବା ବେଳେ ଡ. ଭାରତୀ ପାଲ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଛାତ୍ରୀଛାତ୍ର ଯୋଗଦେଇଥିଲେ।