ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ ଆଦି ସ୍ଥାନରେ ସଚେତନତା ସୃଷ୍ଟି କରିବା ସହ ଶପଥ ପାଠ କରାଯାଉଛି।

ହେଲେ କାର୍ଯ୍ୟକ୍ରମଟି ସ୍କୁଲ ଏବଂ କଲେଜର ଚାରିକାନ୍ଥ ଭିତରେ ସୀମିତ ରଖା ନ ଯାଇ ବ୍ୟାପକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ଅବଶ୍ୟ ଏହି କାର୍ଯ୍ୟକ୍ରମ ପରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ସାଧାରଣ ଲୋକଙ୍କୁ କିଛି ମାତ୍ରାରେ ସଚେତନ କରିବାରେ ସାହାୟକ ହେଉଛନ୍ତି।

ପୋଲିସ ପ୍ରଶାସନ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରୁ ନାହାନ୍ତି କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଉ ନ ଥିବାରୁ ଏହାର ପ୍ରଚାର ପ୍ରସାର ମଧ୍ୟ ସେଭଳି ଭାବରେ ହୋଇ ପାରୁନାହିଁ। ଯାହା ଦ୍ବାରା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସଫଳ ହେବା ଆଶଙ୍କା ରହିଛି।

ସ୍କୁଲ ଓ କଲେଜର ଚାରିକାନ୍ଥ ଭିତରେ ସଚେତନ ମୂଳକ କାର୍ଯ୍ୟକ୍ରମ ରହିଯାଉଛି। ଗଣମାଧ୍ୟମ ହେଉଛି ସମାଜର ଚାରି କାନ୍ଥ ଭିତରର ସୂଚନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ସବୁଠାରୁ ବଡ଼ ମାଧ୍ୟମ। କିନ୍ତୁ ଯେଉଁଠି ଗଣମାଧ୍ୟମର କୌଣସି ଗୁରୁତ୍ୱ ନାହିଁ, ସେଠାରେ ସଚେତନତା କେବଳ କାଗଜପତ୍ର, ସରକାରୀ ରିପୋର୍ଟ ଏବଂ ଫୋଟୋ ସେସନ ଭିତରେ ସୀମିତ ରହିଯିବା ସ୍ବାଭାବିକ ବୋଲି ଚର୍ଚ୍ଚା ହେଉଛି। ଏ ବିଷୟରେ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭରତିଆଙ୍କ ପ୍ରତିକ୍ରିୟା ନେବାରୁ ଆଗକୁ ନିଶ୍ଚିତ ଭାବେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି କହିଛନ୍ତି।

Share