Categories: ଜାତୀୟ

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନେଇ ଚର୍ଚ୍ଚା କଲେ ଜୟଶଙ୍କର…

ଷ୍ଟକହୋମ,୧୪।୫ : ଫ୍ରାନ୍ସ, ଅଷ୍ଟ୍ରିଆ, ବେଲଜିୟମ, ବୁଲଗେରିଆ, ସାଇପ୍ରସ, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ପ୍ରତିପକ୍ଷଙ୍କ ସହ ସ୍ବିଡେନରେ ସାକ୍ଷାତ ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ୟୁକ୍ରେନ ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଲୋଚନା କରିଛନ୍ତି। ୟୁଏଇ ଇଣ୍ଡୋ-ପାସିଫିକ ମନ୍ତ୍ରୀସ୍ତରୀୟ ଫୋରମରେ ଅଂଶଗ୍ରହଣ କରିବା ପାଇଁ ଜୟଶଙ୍କର ଶନିବାର ଦିନ ସ୍ବିଡେନ ଗସ୍ତରେ ଆସି ଷ୍ଟକହୋମରେ ପହଞ୍ଚିଥିଲେ।
ଜୟଶଙ୍କର ଟୁଇଟ କରି ଲେଖିଛନ୍ତି, ’ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ କ୍ୟାଥରିନ କୋଲୋନାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା।

ଜୟଶଙ୍କର ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଶାଲେନବର୍ଗଙ୍କୁ ମଧ୍ୟ ଭେଟି ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଜୟଶଙ୍କର ଟୁଇଟ କରି କହିଛନ୍ତି, ’ମୋର ବନ୍ଧୁ ତଥା ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଶାଲେନବର୍ଗଙ୍କ ସହ ଏକ ଫଳପ୍ରଦ ଆଲୋଚନା ହୋଇଥିଲା। ସେହିପରି ବିଶ୍ୱସ୍ତରୀୟ ପ୍ରସଙ୍ଗ, ବିଶେଷକରି ୟୁକ୍ରେନ ଏବଂ ଇଣ୍ଡୋ-ପାସିଫିକ ଉପରେ ଆଲୋଚନା ହୋଇଥିଲା ।

ବେଲଜିୟମର ବୈଦେଶିକ ମନ୍ତ୍ରୀ ହାଜା ଲାହାବିବଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତରେ ଜୟଶଙ୍କର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବହୁପକ୍ଷୀୟ ସହଯୋଗକୁ ଆଗେଇ ନେବାକୁ ରାଜି ହୋଇଥିଲେ। ବୁଲଗେରିଆର ବୈଦେଶିକ ମନ୍ତ୍ରୀ ଇଭାନ କଣ୍ଡୋଭଙ୍କ ସହ ମତ ବିନିମୟ କରି ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ସାଇପ୍ରସ ବୈଦେଶିକ ମନ୍ତ୍ରୀ କନଷ୍ଟାଣ୍ଟିନୋସ କମ୍ବୋସଙ୍କୁ ସେ ଭେଟିଥିଲେ।

ଜୟଶଙ୍କର ମଧ୍ୟ ଲାଟଭିଆର ବୈଦେଶିକ ମନ୍ତ୍ରୀ ଏଡଗାର୍ସ ରିଙ୍କେଭିକ୍ସଙ୍କୁ ଭେଟି ୟୁକ୍ରେନ ବିବାଦ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲେ। ଲିଥୁଆର ବୈଦେଶିକ ମନ୍ତ୍ରୀ ଗାବ୍ରିଏଲ୍ସ ଲାଣ୍ଡସବର୍ଗିସଙ୍କୁ ଭେଟିବା ପରେ ଜୟଶଙ୍କର ଟୁଇଟ କରି କହିଛନ୍ତି, ଲିଥୁଆର ବୈଦେଶିକ ମନ୍ତ୍ରୀ ଲ୍ୟାଣ୍ଡସବର୍ଗିସଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଭଲ ବାର୍ତ୍ତାଳାପ ହୋଇଛି। ୟୁକ୍ରେନରେ ଫସି ରହିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ଅଭିଯାନରେ ’ଅପରେଶନ ଗଙ୍ଗା’ରେ ସହଯୋଗ କରିଥିବାରୁ ଜୟଶଙ୍କର ତାଙ୍କର ରୋମାନିଆ ପ୍ରତିପକ୍ଷ ବଗଦାନ ଓରେସ୍କୁ ଧନ୍ୟବାଦ ଜଣାଇଛନ୍ତି।

Share