Categories: ଜାତୀୟ

ପେପର ଲିକ୍‌ ଉପରେ ଚର୍ଚ୍ଚା କରନ୍ତୁ ଭାଜପା ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨।୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କ ସହ ପରୀକ୍ଷାକୁ ନେଇ ଚର୍ଚ୍ଚା କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଭାଜପା ସରକାରଙ୍କୁ ପେପର ଲିକ୍‌ ଉପରେ ଚର୍ଚ୍ଚା କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟବସ୍ଥାକୁ ବୁଲ୍‌ଡୋଜର ଟାର୍ଗେଟ କରିପାରିବ ନାହିଁ। ଗତ ବୁଧବାର ପ୍ରଶ୍ନପତ୍ର ଲିକ୍‌ ଯୋଗୁ ୟୁପିର ୨୪ ଜିଲାରେ ଦ୍ୱାଦଶ ଶ୍ରେଣୀ ବୋର୍ଡର ଇଂଲିଶ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହା ଉପରେ ଭାଜପା ସରକାର ଆଲୋଚନା କରିବା ଆବଶ୍ୟକ। ସେହିପରି ଗତବର୍ଷ ନଭେମ୍ବର ୨୮ରେ ୟୁପିଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁ ଲକ୍ଷ ଲକ୍ଷ ପିଲା ପ୍ରଭାବିତ ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସରକାରରେ କେଉଁ ଦୁର୍ନୀତିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ପେପର ଲିକ୍‌ ହେଉଛି ତାହା ଉତ୍ତରପ୍ରଦେଶ ଜନସାଧାରଣ ଜାଣିପାରିଲେ ନାହିଁ, ଯେଉଁଥିପାଇଁ ଆଉ ଏକ ପେପର ଲିକ୍‌ ଘଟିଲା ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା କହିଛନ୍ତି।

Share