Categories: ଜାତୀୟ

ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ରିହାତି ଏବେ ହେବନି ଲାଗୁ

ନୂଆଦିଲ୍ଲୀ,୧୪।୧୨: ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ଉଠାଇ ଦେବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ରେଳ ବିଭାଗ ଏହି ରିହାତି ନିକଟରେ ପୁନଃଲାଗୁ କରିବାକୁ ଯାଉନାହିଁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ବୁଧବାର ସୂଚନା ଦେଇଛନ୍ତି। ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଗତ ବର୍ଷ ଯାତ୍ରୀ ସେବା ପାଇଁ ୫୯,୦୦୦ କୋଟି ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଥିଲା। ଏହା ଏକ ବିପୁଳ ପରିମାଣ। ଏହି ପରିମାଣ ଅନେକ ରାଜ୍ୟର ବଜେଟଠାରୁ ଅଧିକ। ଏହା ବ୍ୟତୀତ ରେଳବାଇର ପେନ୍‌ସନ ଏବଂ ବେତନ ବିଲ ମଧ୍ୟ ବହୁତ ଅଧିକ।
ଉଲ୍ଲେଖନୀୟ କଥା ହେଉଛି, କରୋନା ମହାମାରୀ ଆରମ୍ଭରୁ ରେଳବାଇ ବରିଷ୍ଠ ନାଗରିକମାନଙ୍କୁ ଭଡା ଉପରେ ଦିଆଯାଇଥିବା ସବସିଡି ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେବେଠାରୁ ବିରୋଧୀ ସରକାର ଏହାର ପୁନଃଲାଗୁ ପାଇଁ ଦାବି କରିଆସୁଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ସ୍ବାଧୀନ ଏମ୍‌ପି ନବନୀତ ରାଣା ସରକାରଙ୍କୁ ପ୍ରଶ୍ନ କରିଥିଲେ। ଲୋକ ସଭାରେ ଏହାର ଉତ୍ତର ଦେଇ ରେଳ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Share