ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ଭାଲେର ଗାଁରେ। ମିଳିଥିବା ସୂଚନା ମୁତାବକ, ସଦାଶିବ ପଟେଲ ନାମକ ଜଣେ ବ୍ୟକ୍ତି ବଲାଙ୍ଗୀରରୁ ଏକ ବାଇକ୍ ଯୋଗେ ପନିପରିବା ସହ ଦୋକାନ ସାମଗ୍ରୀ ଧରି ଘରକୁ ଫେରୁଥିଲେ। ହେଲେ ଭାଲେର ଛକ ଖଲିଆପାଲିଠାରେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା।
ଦୁର୍ଘଟଣାରେ ସଦାଶିବଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ କ୍ରସରରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, କ୍ରସର ଯୋଗୁ ଗାଁ ରାସ୍ତାରେ ଭାରୀଯାନ ଚଳାଚଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ହାନୀ ଘଟୁଛି।
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମବାସୀ କ୍ରସରରେ ତାଲା ପକାଇ ଏହି ପ୍ରତିବାଦ କରିଛନ୍ତି। ଏପରିକି କ୍ରସର ମାଳିକ ସଦାଶିବଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଅନ୍ୟପକ୍ଷେ କ୍ରସର ମାଲିକ ଏବଂ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ ତାହା ଦେଖିବା ବାକି ରହିଛି। ଏଭଳିସ୍ଥିତିରେ କ୍ରସର ମାଲିକ ସହାୟତା ଯୋଗାଇଦେବେ ବୋଲି କ୍ରସର ମ୍ୟାନେଜ କହିଥିବା ସୂଚନା ମିଳିଛି।