ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆରଏମ୍ସି ଅଧୀନରେ ଥିବା କହି ହାଟ ପରିସରକୁ ସଫେଇ କରିବାକୁ ବାରଣ କରୁଥିବା ପଞ୍ଚାୟତ ପ୍ରଶାସନ ଉକ୍ତ ହାଟଗୃହ ଭାଙ୍ଗି ଛପର ଟିଣ ଓ କାଠ କାଢ଼ି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏ ନେଇ ଆରଏମ୍ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହି ଗୃହ ପୂର୍ବରୁ ଏକ ପାର୍ଶ୍ୱ ଛେଳି ମେଣ୍ଢା ବିକ୍ରି ଓ ଅପରପାର୍ଶ୍ୱରେ କିରୋସିନି ବିକ୍ରି ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା। ଭାଙ୍ଗିବାକୁ କାହାକୁ ଅନୁମତି ଦିଆଯାଇ ନ ଥିବା କୁହାଯାଇଛି। ନନ୍ଦପୁର ପଞ୍ଚାୟତ ପିଇଓ ଦିବାକର ପୁରୋହିତଙ୍କୁ ପଚାରିବାରୁ ଏହି ଗୃହ ଅବ୍ୟବହୃତ ଅବସ୍ଥାରେ ଥିଲା। ଟିଣ ଛପର ଅର୍ଦ୍ଧାଧିକ ନଷ୍ଟ ହୋଇଯାଇଛି। ଗୃହ ଭାଙ୍ଗିବାକୁ ପଞ୍ଚାୟତରେ ରେଜୁଲେଶନ କରାଯାଇଛି। କଢ଼ାଯାଇଥିବା ଟିଣଗୁଡ଼ିକୁ ନେଇ ପଞ୍ଚାୟତର ଚାଉଳ ବଣ୍ଟନ କେନ୍ଦ୍ର ସମ୍ମୁଖରେ ଲୋକଙ୍କୁ ଛାୟା ପ୍ରଦାନ ପାଇଁ ବିଛାଯିବ ବୋଲି କହିଛନ୍ତି।