ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ

ଦେବୀ ପ୍ରସନ୍ନ କାନୁନ୍‌ଗୋ

ନଅବର୍ଷ ଧରି ଆଇନଗତ ଲଢ଼େଇର ସମ୍ମୁଖୀନ ହେବା ପରେ ଉତ୍ତରପ୍ରଦେଶ ନୋଏଡାର ସେକ୍ଟର ୯୩ଏରେ ଥିବା ଟ୍ବିନ୍‌ ଟାଓ୍ବାର ୨୮ ଅଗଷ୍ଟ ୨୦୨୨ରେ ଧ୍ୱଂସ ପାଇବା ଲାଗି ଲାଗିଥିଲା ମାତ୍ର ୯ ସେକେଣ୍ଡ। ସୁପରଟେକ୍‌ ସଂସ୍ଥା ଦ୍ୱାରା ବେଆଇନ ଭାବେ ନିର୍ମାଣ କରାଯାଇଥିବା ୩୨ ଓ ୨୯ ମହଲା ବିଶିଷ୍ଟ ଦୁଇଟି ବୃହତ୍‌ ଅଟ୍ଟାଳିକା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଟିରେ ମିଶାଇ ଦିଆଯାଇଛି। ଗଣମାଧ୍ୟମରେ ଏହି ଧ୍ୱଂସର ଦୃଶ୍ୟ ଦେଖିବା ଲାଗି ସମସ୍ତେ ଅନାଇ ରହିଥିଲେ। ଉଲ୍ଲେଖଯୋଗ୍ୟ ଯେ, କେରଳର ମାରାଡୁ ମ୍ୟୁନିସିପାଲିଟିରେ ବେଆଇନ ଆପାର୍ଟମେଣ୍ଟକୁ ଭଙ୍ଗାଯିବା ପରେ ନୋଏଡା ଟ୍ବିନ୍‌ ଟାଓ୍ବାର ଧ୍ୱଂସ ଦେଶର ଦ୍ୱିତୀୟ ଘଟଣା, ଯେଉଁଥିରେ ଯୋଜନାବଦ୍ଧ ଭାବେ ଅଟ୍ଟାଳିକାକୁ ଭାଙ୍ଗିଦିଆଯାଇଛି। ତେବେ ନୋଏଡାର ସେହି ୧୦୩ ମିଟର ଉଚ୍ଚ ଦ୍ୱୈତ ଅଟ୍ଟାଳିକାର ଆକାର ଅଧିକ ହୋଇଥିବାରୁ ତାହାର ଧ୍ୱଂସ ଦୃଶ୍ୟ ବେଶି ଦୃଷ୍ଟି ଆକର୍ଷଣ କରିଥିଲା।
୨୮ ଅଗଷ୍ଟ ଅପରାହ୍ନ ୨ଟା ୩୦ରେ ଟ୍ବିନ୍‌ ଟାଓ୍ବାରକୁ ବୈଜ୍ଞାନିକ ପଦ୍ଧତି ଇମ୍ପ୍ଲୋଜନ (ସିକ୍ୟୁଏନ୍‌ସିଆଲ୍‌ କଣ୍ଟ୍ରୋଲ୍‌ଡ ବ୍ଲାଷ୍ଟିଂ ବା ଅନୁକ୍ରମଣୀୟ ଆୟତ୍ତାଧୀନ ବିସ୍ଫୋରଣ) ମାଧ୍ୟମରେ ସମାପନ କରାଯାଇଥିଲା। ଏହା ବାହ୍ୟ କ୍ଷତି ନ ଘଟାଇ ଟ୍ବିନ୍‌ ଟାଓ୍ବାରକୁ ସେହି ସ୍ଥାନରେ ଭୁଶୁଡ଼ାଇ ଦେଇଥିଲା। ଏଥିଲାଗି ୩,୭୦୦ କିଲୋଗ୍ରାମ୍‌ର ବିସ୍ଫୋରକ ବ୍ୟବହାର କରାଯାଇଥିଲା। ଟ୍ବିନ୍‌ ଟାଓ୍ବାରର ପ୍ରତି ଟାଓ୍ବାରରୁ ୧୮ ମହଲାକୁ ଚୟନ କରାଯାଇଥିଲା। ସେଥିରୁ ୧୧ଟିକୁ ପ୍ରାଇମେରି ବ୍ଲାଷ୍ଟ ଫ୍ଲୋର ଓ ୭ଟିକୁ ସେକେଣ୍ଡୋରି ବ୍ଲାଷ୍ଟ ଫ୍ଲୋର ଭାବେ ଭାଗ କରାଯାଇଥିଲା। ସମୁଦାୟ ୧୮ଟି ମହଲାରେ ୯,୬୪୨ଟି ଗର୍ତ୍ତ କରାଯାଇ ସେଥିରେ ବାରୁଦ ଭର୍ତ୍ତି କରାଯାଇଥିଲା। ସେଗୁଡ଼ିକର ସମୁଦାୟ ମାପ କରାଯାଇଥିଲା, ଯାହାର ଲମ୍ବ ଥିଲା ପ୍ରାୟ ୧୯ କିଲୋମିଟର। ସେହିଭଳି ଅନ୍ୟ ୭ଟି ଫ୍ଲୋରରେ ବ୍ଲାଷ୍ଟିଂ ଡିଜାଇନ୍‌ ଫାୟାରିଂ କରାଯାଇଥିଲା। ଧ୍ୱଂସର ତରିକା ଏଭଳି ଥିବା ବେଳେ ନିକଟସ୍ଥ ଅଟ୍ଟାଳିକା, ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ପ୍ରଚୁର ଧୂଳିକଣା, ଶବ୍ଦ ପ୍ରଦୂଷଣ ଏବଂ ମାଟିରେ କମ୍ପନ ଆଦିକୁ ନିୟନ୍ତ୍ରଣରେ ଆଣିବା ସକାଶେ ଅତ୍ୟାଧୁନିକ ବୈଜ୍ଞାନିକ ଓ ଇଞ୍ଜିନିୟରିଂ କୌଶଳ ଆପଣାଯାଇଥିଲା। ତେଣୁ ସେହି ଅଟ୍ଟାଳିକା ଦୁଇଟିରେ ପାଞ୍ଚ ପରସ୍ତ ଷ୍ଟିଲ୍‌ ଜାଲି ଓ ୫ ପରସ୍ତ କନା (ଜିଓ ଟେକ୍ସଟାଇଲ୍‌ ଫେବ୍ରିକ୍ସ) ଗୁଡ଼ାଇ ଦିଆଯାଇଥିଲା। ଫଳରେ ବାହାରକୁ ଅଧିକ ଧୂଳିକଣା ଯାଇପାରି ନ ଥିଲା ଓ ଶବ୍ଦ ପ୍ରଦୂଷଣ କମିଯାଇଥିଲା। ସେହିପରି ୮୦ ହଜାର ଟନ୍‌ ଡେବ୍ରିସ୍‌ ବା କଂକ୍ରିଟ ପଡ଼ିଲେ ମାଟିରେ କମ୍ପନ ସୃଷ୍ଟି ହେବାକୁ ଥିବାରୁ ତାହାକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ତଳେ ମାଟିର ବନ୍ଧ କରାଯାଇଥିଲା। ଏଥିସହିତ ଟ୍ବିନ୍‌ ଟାଓ୍ବାରଠାରୁ ମାତ୍ର ୧୫ ମିଟର ଦୂରରେ ଗେଲ୍‌ (ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌)ର ପାଇପ୍‌ଲାଇନ ଯାଇଥିଲା। ଏହି ଆହ୍ବାନକୁ ମୁକାବିଲା କରିବା ଲାଗି ଷ୍ଟିଲ୍‌ ଚଦର ବିଛାଯିବା ସହ ୫ରୁ ୫ ଚଉଡ଼ା ଓ ଉଚ୍ଚତାର ବନ୍ଧ ବନ୍ଧାଯାଇଥିଲା। ତାହା ଉପରେ ଟାୟାର ମଧ୍ୟ ପକାଯାଇଥିଲ। ଏପରିକି ନିକଟସ୍ଥ କୋଠାଗୁଡ଼ିକୁ ନିରାପଦରେ ରଖିବା ଲାଗି ଆଗୁଆ ବିବିଧ ପଦକ୍ଷେପ ନିଆଯିବା ପରେ ଟ୍ବିନ୍‌ ଟାଓ୍ବାର ଧ୍ୱଂସ କରାଯାଇଥିଲା ବୋଲି କଥାବାର୍ତ୍ତା ବେଳେ ଏହା ପ୍ରକାଶ କରିଛନ୍ତି ରୁର୍‌କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିବିଆର୍‌ଆଇ)ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ତଥା ଓଡ଼ିଆ ଜିଓସାଇଣ୍ଟିଷ୍ଟ ଡକ୍ଟର ଦେବୀ ପ୍ରସନ୍ନ କାନୁନ୍‌ଗୋ। ଟିମ୍‌ ଲିଡର ଭାବେ ତାଙ୍କ ସହ ଅନ୍ୟ ୬ ଜଣ କାର୍ଯ୍ୟ କରୁଥିଲେ। ରୁର୍‌କିର ୪ ଜଣ ଯୁବ ବୈଜ୍ଞାନିକ ଓ ଧାନବାଦସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଇନିଂ ଆଣ୍ଡ୍‌ ଫୁଏଲ ରିସର୍ଚ୍ଚର ଦୁଇ ଜଣ ବୈଜ୍ଞାନିକ ଥିଲେ। ରୁର୍‌କିର ସେହି ୪ ବୈଜ୍ଞାନିକଙ୍କ ମଧ୍ୟରେ ଅନ୍ୟତମ ଓଡ଼ିଆ ମିକି ମେକନ ଦଳବେହେରା ମଧ୍ୟ ଥିଲେ। ତେବେ ବିପର୍ଯ୍ୟୟ ପ୍ରଶମନ ବିଶେଷଜ୍ଞ ଭାବେ ପରିଚିତ ଡକ୍ଟର କାନୁନ୍‌ଗୋ ବ୍ଲାଷ୍ଟ ଡିଜାଇନ୍‌ ଉପରେ ସୁପ୍ରିମକୋର୍ଟରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରି ବିଚାରପତିଙ୍କ ଦ୍ୱାରା ପ୍ରଶଂସିତ ହେବା ଓ ନିରାପଦରେ ଟ୍ବିନ୍‌ ଟାଓ୍ବାରକୁ ଧରାଶାୟୀ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଦେବୀ ପ୍ରସନ୍ନ ୧୬ ଜୁନ୍‌ ୧୯୬୭ରେ କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳରେ ଜନ୍ମଗ୍ରହଣ କରିଥିଲେ। ପିତା କୃଷ୍ଣଚନ୍ଦ୍ର କାନୁନ୍‌ଗୋ ଓ ମାତା ପ୍ରେମଲତା କାନୁନ୍‌ଗୋ। ପିତା ଫୁଲନଖରାସ୍ଥିତ ପ୍ରାଣୀଧନ କାର୍ଯ୍ୟାଳୟରେ ଚାକିରି କରୁଥିଲେ। ଚାରି ପୁଅ ଓ ଗୋଟିଏ ଝିଅକୁ ସହରରେ ରଖି ପାଠ ପଢ଼ାଇବା ଆର୍ଥିକ ଦୃଷ୍ଟିରୁ କଷ୍ଟକର ହୋଇଥିଲା। ସେଥିପାଇଁ ପିଲାମାନେ ଗାଁ ସ୍କୁଲରୁ ପଢ଼ା ଆରମ୍ଭ କରିଥିଲେ। ଦେବୀ ପ୍ରସନ୍ନ ଦୋହଳି ମଡେଲ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। ଭୁବନେଶ୍ୱର ବିଜେବି କଲେଜରୁ ଆଇ.ଏସ୍‌ସି, କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟରୁ ଭୂତତ୍ତ୍ୱ ବିଜ୍ଞାନ (ଜିଓଲୋଜି)ରେ ସ୍ନାତକ କରିବା ପରେ ୟୁନିଭର୍ସିଟି ଅଫ୍‌ ରୁର୍‌କିରୁ ମାଷ୍ଟର ଅଫ୍‌ ଟେକ୍ନୋଲଜି (ଏମ୍‌ଟେକ୍‌) ଡିଗ୍ରୀ ଅର୍ଜନ କରିଥିଲେ। ପଢ଼ା ଶେଷ ପରେ ସେ ରୁର୍‌କିସ୍ଥିତ ସିବିଆର୍‌ଆଇରେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେ ୟୁନିଭର୍ସିଟି ଅଫ୍‌ ରୁର୍‌କି(ଏବେ ଆଇଆଇଟି ରୁର୍‌କି)ରୁ ପିଏଚ୍‌.ଡି କରିବା ପରେ ମୁଖ୍ୟ ବୈଜ୍ଞାନିକ ପଦକୁ ଉନ୍ନୀତ ହୋଇଥିଲେ। ଜୀବନରେ ସଂଘର୍ଷ କରି ଉପରକୁ ଉଠିଥିବା ଡକ୍ଟର କାନୁନ୍‌ଗୋ ଟ୍ବିନ୍‌ ଟାଓ୍ବାର ଧ୍ୱଂସ ସଂକ୍ରାନ୍ତ ବ୍ଲାଷ୍ଟ ଡିଜାଇନ୍‌ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ ବିଚାରପତିମାନେ ଆଗ୍ରହର ସହ ଶୁଣି ତାହାକୁ ମଞ୍ଜୁରୀ ଦେବା ପରେ ତାଙ୍କୁ ଖୁସି ଲାଗିଥିଲା। ସେ କହନ୍ତି, ସୁପରଟେକ୍‌ ଅଟ୍ଟାଳିକା ନିର୍ମାଣର ନିୟମ ଉଲ୍ଲଂଘନ କରି ଏବେ ଦଣ୍ଡିତ ହେବା ଦ୍ୱାରା ଦେଶରେ ବେଆଇନ ନିର୍ମାଣ କରୁଥିବା ସଂସ୍ଥା ବା ବ୍ୟକ୍ତିଙ୍କୁ ଏହି ଘଟଣା ସତର୍କ କରାଇ ଦେଲା। ସୁପରଟେକ୍‌ ସଂସ୍ଥା ଟ୍ବିନ୍‌ ଟାଓ୍ବାର ଭାଙ୍ଗିବା ଲାଗି ନିଯୁକ୍ତ ଡିମୋଲିଶନ ଏଜେନ୍ସି ଦକ୍ଷିଣ ଆଫିକାର ‘ଜେଟ୍‌ ଡିମୋଲିଶନ’ ଓ ବମ୍ବେର ‘ଏଡିଫିସ୍‌ ଇଞ୍ଜିନିୟରିଂ’କୁ ୨୦ କୋଟି ଟଙ୍କା ଦେଇଥିବା ବେଳେ ବ୍ଲାଷ୍ଟ ଡିଜାଇନିଂ ଓ ବିଶେଷଜ୍ଞ କାର୍ଯ୍ୟ ଲାଗି ସିବିଆର୍‌ଆଇକୁ ୭୦ ଲକ୍ଷ ଟଙ୍କା ପରାମର୍ଶ ଖର୍ଚ୍ଚ ବାବଦକୁ ପ୍ରଦାନ କରିଛି। ତେବେ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ, ଜିଓଟେକ୍‌ନିକାଲ ଇଞ୍ଜିନିୟରିଂ, ମାଇନିଂ ଇଞ୍ଜିନିୟରିଂ, ଜିଓସାଇଣ୍ଟିଷ୍ଟ, ବ୍ଲାଷ୍ଟିଂ ଏକ୍ସପର୍ଟ, ଏକ୍ସପ୍ଲୋସିଭ୍‌ ଏକ୍ସପର୍ଟ ଏବଂ ଭାଇବ୍ରେଶନ ଆନାଲିସିସ୍‌ ଏକ୍ସପର୍ଟଙ୍କ ସହଯୋଗରେ ଯେଉଁଭଳି ଭାବେ ଡିମୋଲିଶନ କାର୍ଯ୍ୟ ସମ୍ପାଦନ କରାଗଲା ତାହାକୁ ଡକ୍ଟର କାନୁନ୍‌ଗୋ ଏକ ସଫଳ କାହାଣୀ ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri