ନିରାଶ କରୁଛି ମୌସୁମୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉ ନ ଥିବାରୁ ଟ୍ରପ୍‌ଲାଇନ୍‌ ଏବେ ସକ୍ରିୟ ନାହିଁ। ଏଥିଯୋଗୁ ରାଜ୍ୟରେ ଆଷାଢ଼ ମାସରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୬ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୧୦ ଜିଲାରେ ୬୦ରୁ ୯୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ପୁରୀ ଜିଲାରେ ସ୍ଥିତି ସଙ୍ଗିନ ରହିଛି। ମଙ୍ଗଳବାର ପୁରୀରେ ସ୍ବାଭାବିକଠାରୁ ୮୮ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଜଗତ୍‌ସିଂହପୁରରେ ୮୦ ପ୍ରତିଶତ, ଖୋର୍ଦ୍ଧାରେ ୬୩ ପ୍ରତିଶତ, କେନ୍ଦ୍ରାପଡ଼ାରେ ୭୭ ପ୍ରତିଶତ ଏବଂ କୋରାପୁଟରେ ସ୍ବାଭାବିକ ଠାରୁ ୬୧ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉତ୍ତର ଏବଂ ଉପକୂଳ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ କିଛି ନିଅଣ୍ଟିଆ ଭରଣ ହେବାର ସମ୍ଭାବନା ରହିଛି। ବିଶେଷକରି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୧୦.୩ ଏବଂ ଢେଙ୍କାନାଳରେ ୭.୩ ମିଲିମିଟର ରେକର୍ଡ କରାଯାଇଛି। ଆସନ୍ତା ୨୭ ତାରିଖ ପରେ ରାଜ୍ୟରୁ ଗାଏବ ହୋଇଯିବ ବର୍ଷା। ଆରବ ସାଗରରୁ ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପର୍ଯ୍ୟାପ୍ତ ହେଉ ନ ହେବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। କାରଣ କେରଳ ଛୁଇଁବା ପରେ ମୌସୁମୀ ଦୁର୍ବଳ ହୋଇଥିଲା। ଜୁନ୍‌ ୧୬ରେ ଦକ୍ଷିଣ ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ୪ ଦିନ ପର୍ଯ୍ୟନ୍ତ ଆଗକୁ ବଢ଼ିପାରି ନ ଥିଲା। ସୋମବାର ସମ୍ପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଅଧିକାଂଶ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ତେବେ ମଙ୍ଗଳବାର ଅଧିକାଂଶ ଜିଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କେବଳ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁରରେ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହଛି। ଏଥିଯୋଗୁ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ଏହା ପରେ ମୌସୁମୀ ଦୁର୍ବଳ ହେବା ସମ୍ଭାବନା ରହିଛି।