ନିରାଡ଼ମ୍ବରକୁ ନେଇ ନିରାଶା

ବଇଣ୍ଡା,୧୪।୧୦(ଡି.ଏନ.ଏ.)  ଆରମ୍ଭ ହୋଇଛି ମା’ ଦଶଭୁଜାଙ୍କ ପୂଜା। ହେଲେ ମଣ୍ଡପ ବାହାରକୁ ଶୁଭୁନି ବୈଦିକ ବ୍ରାହ୍ମଣଙ୍କ ବେଦଧ୍ୱନି। କୋଭିଡ୍‌ ସମୟ ହୋଇ ନ ଥିଲେ ଏତେବେଳେକୁ ସାଜସଜ୍ଜା, ସାଉଣ୍ଡ ଓ ଶ୍ରଦ୍ଧାଳୁଙ୍କ ଗହଳିରେ ଫାଟି ପଡ଼ୁଥାନ୍ତା ପୂଜାସ୍ଥାନ। ଉତ୍ସାହ, ଉଦ୍ଦୀପନାରେ ଉଛୁଳି ଉଠିଥାନ୍ତା ଭକ୍ତଙ୍କ ମନ। କିନ୍ତୁ କୋଭିଡ୍‌ କଟକଣା କାରଣରୁ ଗତବର୍ଷ ପରି ଏଥର ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ପୂଜା କରାଯାଉଥିବାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ନିରାଶାର ଭାବ ଦେଖିବାକୁ ମିଳୁଛି।
କିଶୋରନଗର ବ୍ଲକର ବିଭିନ୍ନ ସ୍ଥାନରେ ପୂଜା ପାଳନ କରାଯାଉଛି। ବିଶେଷକରି ବଇଣ୍ଡା, ଡେବେରାପାଲି ଓ କିଶୋରନଗର ଅଞ୍ଚଳରେ ପ୍ରତିବର୍ଷ ପୂଜା ଦେଖିବାକୁ ଅସମ୍ଭବ ଭିଡ଼ ହୋଇଥାଏ। ଉଜ୍ଜ୍ୱଳ ଆଲୋକମାଳାରେ ଝଲସୁଥିବା ଆକର୍ଷଣୀୟ ପୂଜା ମଣ୍ଡପ, ମିନାବଜାର, ଭଳିକି ଭଳି ଖାଦ୍ୟ ଷ୍ଟଲ ଓ ମେଲୋଡି, ପାଲା, ଦଣ୍ଡନାଚ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଏସବୁ ସ୍ଥାନକୁ ଧାଇଁ ଆସିଥାନ୍ତି। ହେଲେ ୨ ବର୍ଷ ହେଲା ପୂଜା କେବଳ ପରମ୍ପରାରେ ସୀମିତ ରହିଛି। ଆଡ଼ମ୍ବର ସହ ପୂଜାକୁ ସରକାରଙ୍କ ଅନୁମତି ନ ଥିବାରୁ ମଣ୍ଡପ ସାଜସଜ୍ଜା କରାଯାଉ ନାହିଁ। ଚାରିପଟୁ ଆବଦ୍ଧ କରାଯାଉଥିବାରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିପାରୁ ନାହାନ୍ତି। ମେଳା ଲାଗୁ ନ ଥିବାରୁ ଶତାଧିକ ଉଠା ଦୋକାନୀ ବର୍ଷକର ଆୟ ହରାଉଛନ୍ତି। ଏପରି କି ମଣ୍ଡପକୁ ଆକର୍ଷଣୀୟ କରାଯାଉ ନ ଥିବାରୁ ଟେଣ୍ଟ, ଲାଇଟ୍‌ ଓ ସାଉଣ୍ଡ ବ୍ୟବସାୟୀମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି।

ଲୋକଙ୍କୁ ସଚେତନ କରାଯାଉଛି

କଟକଣା ମଧ୍ୟରେ ବଇଣ୍ଡା ଠାରେ ପୂଜା ପାଳନ କରାଯାଉଛି। କୋଭିଡ୍‌ ମହାମାରୀଠାରୁ ଲୋକେ କିପରି ଦୂରେଇ ରହିବେ ସେ ନେଇ କମିଟି ପକ୍ଷରୁ ସମସ୍ତଙ୍କୁ ସଚେତନ କରାଯାଉଛି।
-ସରୋଜ କୁମାର ସାହୁ, ବଇଣ୍ଡା

ସବୁ ଯୋଜନା ଠପ୍‌

ଡେବେରାପାଲି ଗ୍ରାମରେ ୧୯୪୬ରୁ ପୂଜା ପାଳନ କରାଯାଇ ଆସୁଛି। ଚଳିତବର୍ଷ ୭୫ ବର୍ଷ ପୂରଣ ହେଉଥିବାରୁ ଧୁମ୍‌ଧାମରେ ଆୟୋଜନ କରାଯାଇଥାନ୍ତା। କିନ୍ତୁ କରୋନା ପାଇଁ ସବୁ ଠପ୍‌ ହୋଇଗଲା।
-ବସନ୍ତ କୁମାର ମିଶ୍ର, ଡେବେରାପାଲି

ରୋଜଗାର ହରାଇଛନ୍ତି କଳାକାର

୩୦୦ ଶହ ଟଙ୍କାରୁ ଆରମ୍ଭ ହୋଇଥିବା ବଇଣ୍ଡା ହାଇସ୍କୁଲ ରୋଡ୍‌ରେ ପୂଜା ଏବେ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି। ଚଳିତବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଆଖପାଖ କଳାକାରଙ୍କ ରୋଜଗାର ବନ୍ଦ ହୋଇଯାଇଛି।
-ଗିରୀଶ ଚନ୍ଦ୍ର ସାହୁ, ବଇଣ୍ଡା