ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍ ରିସର୍ଚ୍ଚ ଇନ୍ ସ୍କିମ୍ ଏଣ୍ଡ୍ ପଲିସିଜ୍(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍(ବିଲଡିଂ ଲାଇଭହୁଡସ୍ ଥ୍ରୁ ଏଣ୍ଟରପ୍ରିନରସିପ୍ ଏଣ୍ଡ୍ ସ୍କିଲ୍ ଅଫ୍ ଏସ୍ଏଚ୍ଜି) ପକ୍ଷରୁ ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ନିଯୁକ୍ତି ପାଇଁ ସୋମବାର ଅନୁଷ୍ଠିତ ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କ ପାଖକୁ ଆଡ୍ମିଟ୍ କାର୍ଡ଼ ନ ମିଳିବା ଅଭିଯୋଗ ଘଟଣାକୁ ନେଇ ରବିବାର ରାତିଅଧରେ ସମ୍ପୃକ୍ତ ସ୍ପଷ୍ଟୀକରଣ ରଖିଛି। ଯେଉଁ ଆବେଦନକାରୀମାନେ ଆଡ଼ମିଟ୍ କାର୍ଡ଼ ତଥା ହଲ୍ ଟିକେଟ୍ ପାଇ ନାହାନ୍ତି, ସେମାନେ ପ୍ରକୃତରେ ସିଆର୍ଆଇଏସ୍ପିର ପ୍ରକୃତ ୱେବସାଇଟ୍ରେ ଆବେଦନ କରି ନାହାନ୍ତି। ସେମାନେ ଯେଉଁ ୱେବସାଇଟ୍ରେ ଆବେଦନ କରିଛନ୍ତି, ତାହା ନକଲୀ ଏବଂ କେହିଜଣେ ହ୍ବାଟ୍ସଆପ୍ରେ ସେଭଳି ନକଲି ଏଚ୍ଟିଏମଏଲ୍ ଫାଇଲ୍ ବାଣ୍ଟିଥିବା ସମ୍ପୃକ୍ତ ବିଭାଗ ସ୍ପଷ୍ଟୀକରଣ ଦେଇଛି। ଅନ୍ୟପଟେ ଆବେଦନକାରୀମାନେ କହିଛନ୍ତି, ସ୍ଥାନୀୟ ସିଆର୍ପିମାନେ ସେମାନଙ୍କୁ ସେହି ୱେବସାଇଟ୍ର ଲିଙ୍କ୍ ଦେଇଥିଲେ ଏବଂ ସମ୍ପୃକ୍ତ ଲିଙ୍କ୍ ଖୋଲି ସେଥିରେ ଆବେଦନ କରିଥିଲେ। ସେହିପରି ସମ୍ପୃକ୍ତ ବିଭାଗ(ସିଆର୍ଆଇଏସ୍ପି) ଆହୁରି ସୂଚନା ଦେଇଛି, ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ପାଇଁ ଏକ ଅତ୍ୟାଧୁନିକ ୱେବ୍ ଆପ୍ଲିକେଶନ ତିଆରି କରିଛି। ଆବେଦନଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ଭାବେ କରାଯାଇଛି, କୌଣସି ପ୍ରିଣ୍ଟକପି ତଥା ହାର୍ଡକପି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର(ବିପିଏମ)ଙ୍କଠାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ନାହିଁ। ଅନ୍ୟପଟେ ବିପିଏମ୍ମାନେ ଆବେଦନକାରୀଙ୍କଠାରୁ କିଭଳି ପ୍ରିଣ୍ଟକପି ତଥା ହାର୍ଡକପି ଗ୍ରହଣ କଲେ ଏବଂ ତାହା ଗ୍ରହଣ କରିବା ସମୟରେ କାହିଁକି ତାହା ନକଲି ୱେବସାଇଟ୍ ତଥା ନକଲି ୟୁଆରଏଲ୍ରୁ ସେଭଳି ସମସ୍ୟା ଦେଖାଯାଇଛି ବୋଲି କହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ପଦବୀ ପାଇଁ ପୁଣିଥରେ ପରୀକ୍ଷା କରାଯାଇ ପୁନଃ ସେମାନଙ୍କୁ ଆବେଦନର ସୁଯୋଗ ଦେବା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ଆଶାୟୀମାନେ ଦାବି କରିଛନ୍ତି। ଏହି ଦାବି ନେଇ ସୋମବାର ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଞ୍ଚଳର ଅନେକ ଆଶାୟୀ ପରୀକ୍ଷା କେନ୍ଦ୍ରରୁ ନିରାଶରେ ଫେରି ସିଧାସଳଖ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ଅଜ୍ଞତା, ଅବହେଳାରୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ପୁନଃ ପରୀକ୍ଷା କରି ପୁଣିଥରେ ଆବେଦନର ସୁଯୋଗ ଦେବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଆଶାୟୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେହିପରି ଅତାବିରା ବହୁମୁଖୀ ସଭାଗୃହରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ମଧ୍ୟ ଅନେକ ଆଶାୟୀ ତଥା ଆବେଦନକାରୀ ପରୀକ୍ଷା ଦେବାକୁ ପହଞ୍ଚିଥିଲେ। ତେବେ ସେମାନଙ୍କ ମଧ୍ୟରୁ ହଲ୍ ଟିକେଟ୍ ପାଇଥିବା କେବଳ ୧୨୩ ଜଣ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ପାରିଥିଲେ ଏବଂ ହଲ୍ ଟିକେଟ୍ ପାଇ ନଥିବା ଆଶାୟୀମାନେ ନିଜର ଅସନ୍ତୋଷ ପ୍ରକାଶ କରି ନିରାଶରେ ଘରକୁ ଫେରିଥିଲେ। ନକଲି ୱେବସାଇଟ୍ରେ ଆବେଦନ କରିଥିବାରୁ ସେମାନଙ୍କ ପାଖକୁ ହଲ୍ ଟିକେଟ୍ ପହଞ୍ଚି ପାରି ନଥିବା ଅତାବିରା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର(ବିପିଏମ) ମନୋଜ କେର୍କେଟା କହିଥିଲେ। ଅନ୍ୟପଟେ ଭେଡ଼େନ ବ୍ଲକର ଜଣେ ଆବେଦନକାରୀ ଲଲିତା ବାଗ କହିଛନ୍ତି, ସିଆର୍ପିମାନେ ଯେଉଁ ଲିଙ୍କ୍ ଦେଇଥିଲେ, ସେହି ଲିଙ୍କ୍ରେ ତାଙ୍କ ସମେତ ଅନେକ ଆଶାୟୀ ଆବେଦନ କରିଥିଲେ। ସେହିପରି ଗତ ୫ତାରିଖ ଯେତେବେଳେ ସେମାନେ ବ୍ଲକ କାର୍ଯ୍ୟାଳୟରେ ପ୍ରିଣ୍ଟକପି ଏବଂ ହାର୍ଡ଼କପି ଦାଖଲ କଲେ, ସେତେବେଳେ ସେମାନଙ୍କୁ ସେଭଳି ନକଲି ୱେବସାଇଟ୍ କଥା ଆଦୌ କହି ନଥିଲେ। ବରଂ ସୋମବାର ପରୀକ୍ଷା ଦେବା ପାଇଁ ଆସିବାକୁ କହିଥିଲେ ବୋଲି ଲଲିତା କହିଛନ୍ତି। ଏହା ସହିତ ସେହି ଲିଙ୍କ୍ ଯଦି ନକଲି ଥିଲା, ତେବେ ସମ୍ପୃକ୍ତ ଲିଙ୍କ୍ରେ ଆବେଦନ କରିଥିବା ଅଧେ ଆବେଦନକାରୀଙ୍କ ପାଖକୁ ହଲ୍ ଟିକେଟ୍ ମିଳିଲା ଏବଂ ଅଧେ ଆବେଦନକାରୀଙ୍କୁ କାହିଁକି ହଲ୍ ଟିକେଟ୍ ମିଳିଲା ନାହିଁ ବୋଲି ପ୍ରଶ୍ନ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ପୁଣିଥରେ ଆବେଦନର ସୁଯୋଗ ଦେଇ ପୁନଃ ପରୀକ୍ଷା କରାଯାଉ ବୋଲି ଲଲିତାଙ୍କ ସମେତ ଅନେକ ଆଶାୟୀ ଦାବି କରିଛନ୍ତି।