Categories: ଭଦ୍ରକ

ଦିବ୍ୟାଙ୍ଗଙ୍କ ଭ୍ରାମ୍ୟମାଣ ଦୋକାନ

ଭଦ୍ରକ ଅଫିସ,୧୮ା୧୦: ୨୦ ବର୍ଷ ତଳେ ଏକ ଦୁର୍ଘଟଣାରେ ଡାହାଣ ଗୋଡ଼ ହରାଇ ବସିଥିଲେ। ଆଉ ସେହି ଦୁର୍ଘଟଣା ପରଠାରୁ ବଦଳିଗଲା ତାଙ୍କ ଜୀବନର ମୋଡ଼। ତଥାପି ସେ ହାର୍‌ ମାନି ନାହାନ୍ତି। ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏକ ଭ୍ରାମ୍ୟମାଣ ଦୋକାନ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଭଦ୍ରକ ପୌରପାଳିକା ଅଧୀନ ବଡ଼ଶଙ୍କରପୁର ଗଁାର ଚନ୍ଦନ ସିଂ (୪୦)। ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ଓ ସରଳ ବ୍ୟବହାର ଯୋଗୁ ସେ ସମସ୍ତଙ୍କର ପ୍ରିୟ ହୋଇଥିବା ବେଳେ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି।
ଚନ୍ଦନଙ୍କ ଦୋକାନ କହିଲେ କେବଳ ଖଣ୍ଡିଏ କାଠବକ୍ସ। ସାଇକେଲରେ ଏହି ବାକ୍ସକୁ ରଖି ଗୋଟିଏ ଗୋଡ଼ରେ ଚଲାଇ ଭ୍ରାମ୍ୟମାଣ ଦୋକାନ ଚଳାଇଛନ୍ତି।
ସେ ଭଦ୍ରକ ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଦୋକାନରେ ବସିବା ସହ ବଜାରର ବିଭିନ୍ନ ସ୍ଥାନ ବୁଲି ପାନ ବିକ୍ରି କରନ୍ତି। ପୂର୍ବାହ୍ନ ୧୦ଟା ପୂର୍ବରୁ ଦୋକାନ ଖୋଲି ଅପରାହ୍ନ ୪ଟାରେ ବନ୍ଦ କରି ଦିଅନ୍ତି। ଭଦ୍ରକର ମୁଖ୍ୟ ବଜାର, ମାଛମାର୍କେଟ, ଓଟି ମାର୍କେଟରେ ବୁଲି ବୁଲି ପାନ ଭାଙ୍ଗି ଗ୍ରାହକଙ୍କୁ ଯୋଗାଇ ଦିଅନ୍ତି। ଆଉ ତାଙ୍କ ହାତଭଙ୍ଗା ପାନର ସ୍ବାଦ ନିଆରା। ଏଥିଲାଗି ଅନ୍ୟ ଦୋକାନୀମାନେ ମଧ୍ୟ ତାଙ୍କଠାରୁ ପାନ କିଣି ଖାଇବାକୁ ଅପେକ୍ଷା କରିଥାନ୍ତି। ଚନ୍ଦନ କହନ୍ତି, ଏହି ଦୋକାନ ହିଁ ତାଙ୍କ ପରିବାର ଚଳାଇବାର ମୁଖ୍ୟ ମାଧ୍ୟମ। ସରକାରୀ ସ୍ତରରେ ସେ ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି। ଏହି ଭତ୍ତା ବ୍ୟତୀତ ପାନ ଦୋକାନରୁ ହେଉଥିବା ରୋଜଗାରରେ ସେ ଦୁଇଝିଅ ଓ ଗୋଟିଏ ପୁଅଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦିବ୍ୟାଙ୍ଗମାନେ ନିଜକୁ ଅକ୍ଷମ ନ ଭାବି ସକ୍ଷମ ଭାବିବା ଉଚିତ୍‌। ଅସହାୟତା ପାଖରେ ହାର୍‌ ନ ମାନି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।