ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଭିନ୍ନକ୍ଷମ

ବାଲିଶଙ୍କରା,୧୧ା୯( ହ୍ରୁଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ କଲେଜପଡ଼ାର ଭିନ୍ନକ୍ଷମ ରାଜେଶ ବାର୍ଲା ଦୁଃଖ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନ ଥିବାରୁ ଦୀର୍ଘ ବର୍ଷ ଧରି ଭଙ୍ଗା ଘରେ ରହିଆସୁଛନ୍ତି। ସେ ଜନ୍ମରୁ ଦୃଷ୍ଟି ବାଧିତ। ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେତେବେଳେ ମା’ ବାପା ଆରପାରିକୁ ଚାଲିଯାଇଥିଲେ। ଆହା ପଦେ କହିବାକୁ ତାଙ୍କର ନିଜର ବୋଲି କେହି ନାହାନ୍ତି। ଏକାକୀ ସଂଘର୍ଷ କରି ସେ ଜୀବନ ବିତାଉଛନ୍ତି। ସେ ଦୃଷ୍ଟିହୀନ ହେଲେ ମଧ୍ୟ ବାଦ୍ୟ, ଗୀତ ଗାଇ ଅଞ୍ଚଳରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ଦିବ୍ୟାଙ୍ଗ ଭତ୍ତା ୭୦୦ ଟଙ୍କା ଓ ୫କେଜି ଚାଉଳ ସରକାରଙ୍କ ତରଫରୁ ତାଙ୍କୁ ମିଳୁଛି। ହେଲେ ଏତିକିରେ ବଞ୍ଚିବା କଷ୍ଟପ୍ରଦ ହେଉଛି। ଏବେ ଆବାସ ଯୋଜନାରେ ତାଙ୍କୁ ଘର ମିଳିଛି। ୨୦୨୦ରେ କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ ହେଁ ତାହା ଏପର୍ଯ୍ୟନ୍ତ ନ ମିଳିବାରୁ ସେ ଅତ୍ୟନ୍ତ ଦୁଃଖରେ ଥିବା ନେଇ କୋହଭରା କଣ୍ଠରେ କହିଛନ୍ତି। ସରକାରୀ ସହାୟତା ଭାବେ ଅନ୍ତ୍ୟୋଦୟ କାର୍ଡରେ ସାମିଲ କରି ୩୫ କେଜି ଚାଉଳ ଓ କଳାକାର ଭତ୍ତା ପାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି।