ପୋଲିସ ଅଧିକାରୀଙ୍କୁ କାଉନ୍‌ସେଲିଂ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ

କଟକ,୨୨ା୬ (କାର୍ତ୍ତିକ ସାହୁ)ପୋଲିସ ଅଧିକାରୀମାନେ ଲୋକଙ୍କ ସହ ବ୍ୟବହାର କଲାବେଳେ ସେମାନଙ୍କ ମାନବିକ ଅଧିକାରର ସୁରକ୍ଷା ପ୍ରତି ସଚେତନ ରହିବେ। ଏନେଇ ପର୍ଯ୍ୟାୟକ୍ରମେ ପୋଲିସ ଅଧିକାରୀମାନଙ୍କୁ କାଉନ୍‌ସେଲିଂ କରିବା ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଟାଉନ୍‌ ଥାନା ଆଗରେ ୩ ଯୋଡ଼ା ଝିଅପୁଅଙ୍କୁ ଆଣ୍ଠେଇବା ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି। ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ଆବେଦନକାରୀ ଏଭଳି ଘଟଣାକୁ ଅଦାଲତଙ୍କ ନିକଟକୁ ଆଣିଥିବାରୁ ପ୍ରଶଂସା କରିଛନ୍ତି। ଅପରପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଏହି ଘଟଣାକୁ ୧୦ ବର୍ଷ ବିତିଗଲାଣି। ଘଟଣା ସହ ଜଡିତ ସମ୍ପୃକ୍ତ ଯୁବତୀଯୁବକମାନେ ଏବେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଜୀବନ ବିତାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କ୍ଷତିପୂରଣ ପ୍ରଦାନ ନେଇ ସେ ଆଉ ଆବେଦନ ଉପରେ ଜୋର ଦେଉନାହାନ୍ତି ବୋଲି ଅଦାଲତଙ୍କୁ ସ୍ପଷ୍ଟ କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୩ ଜାନୁୟାରୀ ୧୫ରେ ଯାଜପୁର ଟାଉନ ଥାନା ପୋଲିସ ନିକଟସ୍ଥ ଏକ ପାର୍କରୁ ୩ ଜଣ ଝିଅ ଓ ୩ ଜଣ ପୁଅଙ୍କୁ ଆଣି ଥାନା ସମ୍ମୁଖରେ ଆଣ୍ଠେଇ ଦେଇଥିଲା। ପୋଲିସର ଏହି କାର୍ଯ୍ୟ ପାଇଁ ସେମାନଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହୋଇଥିବା ନେଇ ଆଇନଜୀବୀ ପ୍ରବୀର କୁମାର ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ସେମାନଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ୨୦୨୩ ଜାନୁୟାରୀ ୯ ତାରିଖରେ ମାମଲାର ଶୁଣାଣି କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କ’ଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ଏପ୍ରିଲ ୪ ତାରିଖ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ, ଓଡ଼ିଶା ମାନବିକ ଅଧିକାର ଆୟୋଗ ଏହି ଘଟଣାରେ ନିଜଆଡୁ ମାମଲା ରୁଜୁକରି ତଦନ୍ତ କରିଥିଲେ। ପୋଲିସର ଏତାଦୃଶ କାର୍ଯ୍ୟ ଦ୍ୱାରା ମାନବିକ ଅଧିକାର ଉଲ୍ଲଂଘନ ହୋଇଛି ବୋଲି ଆୟୋଗ ମଧ୍ୟ ସ୍ପଷ୍ଟ କରିଥିଲେ। ସମ୍ପୃକ୍ତ ଆଇଆଇସି ଆଲୋକ ରଞ୍ଜନ ନାୟକଙ୍କୁ ଆଉ ଏପରି ନ କରିବା ପାଇଁ ତାଗିଦ୍‌ କରାଯାଇଛି। ଏଥିସହ ତାଙ୍କୁ କାଉନ୍‌ସେଲିଂ ମଧ୍ୟ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଥିଲା।