ଓଡ଼ିଶାରେ ଶିଳ୍ପାୟନର ଦିଶା

ସାରା ବିଶ୍ୱରେ ଆଜିର ସମୟରେ ଅର୍ଥନୀତି ଦୃଷ୍ଟିରୁ ଦୁଇଟି ସମସ୍ୟା ସବୁ ଦେଶ ପାଇଁ ଆହ୍ବାନ ହୋଇ ଠିଆ ହୋଇଛି। ଗୋଟିଏ ହେଲା ବ୍ୟାପକ ନିଯୁକ୍ତି ସୃଷ୍ଟି କରିବାର ଆହ୍ବାନ ଓ ଅନ୍ୟଟି ହେଲା ଦେଶ ଚଳାଇବା ପାଇଁ ରାଜକୋଷକୁ ଅର୍ଥ ଯୋଗାଡ଼ କରିବାର ଆହ୍ବାନ। ଏହି ଦୁଇଟି ପ୍ରସଙ୍ଗରେ ଶିଳ୍ପାୟନର ବଡ଼ ଭୂମିକା ରହିଛି। ଆଧୁନିକ ବିଶ୍ୱରେ ଶିଳ୍ପର ପରିଭାଷା ମଧ୍ୟ ବଦଳିଛି। ଶିଳ୍ପ କହିଲେ ଆଉ ଆଗ ଭଳି କେବଳ ବଡ଼ ବଡ଼ କଳକାରଖାନାକୁ ବୁଝାଯାଉନି। ବର୍ତ୍ତମାନ ସମୟରେ ସଫ୍ଟଓ୍ବେରରୁ ନେଇ ପର୍ଯ୍ୟଟନ, ଫ୍ୟାଶନରୁ ନେଇ ମନୋରଞ୍ଜନ, ଖାଦ୍ୟ ପ୍ରକ୍ରିୟାକରଣ, ଇ-କର୍ମସ ଏସବୁକୁ ମଧ୍ୟ ଶିଳ୍ପର ମାନ୍ୟତା ମିଳିଛି ଓ ଏହିଭଳି ନୂଆ ନୂଆ କ୍ଷେତ୍ରରେ ହିଁ ବେଶି ଅର୍ଥନୈତିକ କାରବାର ହେଉଛି, ବେଶି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଓଡ଼ିଶା ଅନେକ ଦୃଷ୍ଟିରୁ ଭାଗ୍ୟବାନ୍‌। ଏଠାରେ ଅନେକ ପ୍ରକାର ପ୍ରାକୃତିକ ଖଣିଜ ସମ୍ପଦର ଅମାପ ଭଣ୍ଡାର ରହିଛି। ୪୫୦ କିମିର ସୁଦୀର୍ଘ ବେଳାଭୂମି ରହିଛି। ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ମାନବ ସମ୍ବଳ ଏସବୁରେ ମଧ୍ୟ ଓଡ଼ିଶା ସମୃଦ୍ଧ, ପରିପୁଷ୍ଟ। ଏହା ବାଦ୍‌ ଆମ ପାଖରେ କୃଷି ପାଇଁ ବିସ୍ତୀର୍ଣ୍ଣ ଉର୍ବର ଭୂମି ଅଛି। ପର୍ଯ୍ୟଟନରୁ ନେଇ ହସ୍ତଶିଳ୍ପ, ହସ୍ତତନ୍ତରେ ଆମ ପାଖରେ ଯଥେଷ୍ଟ ଭିତ୍ତିଭୂମି ରହିଛି। ସେ ଦୃଷ୍ଟିରୁ ଆମେ ଶିଳ୍ପାୟନର ଠିକ୍‌ ଉପଯୋଗ କରି ଦେଶରେ ଏକ ସମ୍ପନ୍ନ ରାଜ୍ୟ ହେବାର ଯଥେଷ୍ଟ ସୁଯୋଗ ରହିଛି॥ ଏବେ ରାଜ୍ୟରେ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ସରିଛି। ଅନେକ ବଡ଼ ବଡ଼ ପୁଞ୍ଜି ନିବେଶକାରୀମାନେ ପୁଞ୍ଜି ନିବେଶର ପ୍ରସ୍ତାବ ନେଇ ଏଠାକୁ ଆସିଥିଲେ। ଆଗରୁ ମଧ୍ୟ ଦୁଇ ଦୁଇଟି ମେକ୍‌ ଇନ୍‌ ଓଡ଼ିଶା ହୋଇଛି।
ହେଲେ ଓଡ଼ିଶାରେ ଶିଳ୍ପାୟନର ସ୍ବରୂପ କ’ଣ ତାହା ଏକ ଆଲୋଚନାର ବିଷୟ। ୨୦୧୬ରେ ଓ ୨୦୧୮ରେ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା ଆୟୋଜନରେ ଖର୍ଚ୍ଚ ହୋଇଥିଲା ୫୫ କୋଟି ଟଙ୍କା। ଦୁଇଟିଯାକରେ ସମୁଦାୟ ପୁଞ୍ଜି ପ୍ରସ୍ତାବ ଆସିଥିଲା ୬ ଲକ୍ଷ ୨୬ ହଜାର କୋଟି ଟଙ୍କାର। ୭ ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତି ସମ୍ଭାବନାର ଆକଳନ କରାଯାଇଥିଲା। ଏବେ ସୁଦ୍ଧା ମୋଟ ପ୍ରସ୍ତାବିତ ୨୮୬ ପ୍ରସ୍ତାବରୁ ୧୬୪ଟିକୁ ଅନୁମୋଦନ ମିଳିଛି। ସେଥିରୁ ମାତ୍ର ୧୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇଛି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ୧୬ଟି ପ୍ରକଳ୍ପର ପୁଞ୍ଜି ନିବେଶ ପରିମାଣ ହେଉଛି ୫ ହଜାର ୬୭୪ କୋଟି ଟଙ୍କା ଓ ନିଯୁକ୍ତି ମିଳିଛି ୫ ହଜାର ୮୭୮ ଜଣଙ୍କୁ। ତେଣୁ କେଉଁଠି ନା କେଉଁଠି ସରକାର ଯାହା ଆଶା ରଖିଥିଲେ, ତାହାଠାରୁ କମ୍‌ ସଫଳତା ମିଳିଛି। ଆମେ ଆଶା ରଖିବା ଯେ ଆଗାମୀ ଦିନରେ ପ୍ରସ୍ତାବ ଆସିଥିବା ସମସ୍ତ ପ୍ରକଳ୍ପ କିପରି କ୍ରିୟାନ୍ବୟନ ହେଉ।
ଏବେ ହୋଇଥିବା ୨୦୨୨ ମେକ୍‌ ଇନ୍‌ ଓଡ଼ିଶାରେ ମୋଟ ୧୦.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଛି। ସେଥିରୁ କେବଳ ଖଣିଜ ସମ୍ପଦ ଯଥା ଲୁହାପଥର, ବକ୍ସାଇଟ, ମାଙ୍ଗାନିଜ, ଆଦିକୁ ଭିତ୍ତି କରି ଆସିଥିବା ବିଭିନ୍ନ ପ୍ରକଳ୍ପର ପରିମାଣ ହେଉଛି ୫.୫ ଲକ୍ଷ କୋଟି ଟଙ୍କାର। ସେହିଭଳି ଏହି ଶିଳ୍ପମାନଙ୍କ ଉପରେ ନିର୍ଭର କରି ଅନ୍ୟ କ୍ଷେତ୍ର ଯଥା ଶକ୍ତି ଉତ୍ପାଦନ, ପରିବହନ ଆଦିରେ ଯାହା ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି, ତାହାର ପରିମାଣ ହେଉଛି ୩.୫୮ ଲକ୍ଷ କୋଟି ଟଙ୍କାର। ଅର୍ଥାତ୍‌ ମୋଟ ପୁଞ୍ଜି ନିବେଶ ପ୍ରସ୍ତାବର ପାଖାପାଖି ୮୬% ହେଉଛି ଆମ ରାଜ୍ୟରେ ଥିବା ଖଣିଜ ସମ୍ପଦକୁ ଆଧାର କରି। ବାକି ୧୪% ହେଉଛି ବାକି ଯେତେ ପ୍ରକାରର ଶିଳ୍ପ ରହିଗଲା। ସେହିଭଳି ଯେଉଁ ପୁଞ୍ଜି ନିବେଶ ପ୍ରସ୍ତାବ ଖଣିଜ ସମ୍ପଦ କ୍ଷେତ୍ରରେ ଆସିଛି, ସେଥିରେ ମଣିଷର ଦୈନଦିନ ଜୀବନରେ ବ୍ୟବହାରରେ ଆସୁଥିବା ବିଭିନ୍ନ ସାମଗ୍ରୀ, ଯାହାକୁ ଆମେ କଞ୍ଜ୍ୟୁମର ଗୁଡ୍‌ ବୋଲି କହୁ ତାହାର ଉତ୍ପାଦନ ପାଇଁ ସେଭଳି କିଛି ଆଖିଦୃଶିଆ ପ୍ରସ୍ତାବ ନାହିଁ। ପ୍ରାୟ ସମସ୍ତ ପ୍ରସ୍ତାବ ହେଉଛି ଷ୍ଟିଲ, ବକ୍ସାଇଟ ନହେଲେ ଆଉ କିଛି ଧାତବ ପଦାର୍ଥର ଉତ୍ପାଦନକୁ ନେଇ। ଆମେ କାହିଁକି ଆମ ରାଜ୍ୟରେ ଉତ୍ପାଦିତ ଷ୍ଟିଲ୍‌ରେ ଆମର ଏଇଠି ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ଯୋଜନା ହେବ ନାହିଁ ତାହା ଏକ ପ୍ରସଙ୍ଗ।
ଆଜିବି ଓଡ଼ିଶାରେ ଆମେ ଦୈନନ୍ଦିନ ଜୀବନଶୈଳୀରେ ବ୍ୟବହାର କରୁଥିବା ବିଭିନ୍ନ ଜିନିଷମାନଙ୍କର ସେଭଳି କୌଣସି ନାମକରା ବ୍ରାଣ୍ଡ୍‌ର କାରଖାନା ନାହିଁ। ଆମେ ଏକ ଲମ୍ବା ସମୟ ପାଇଁ ଏଠାରେ ମିଳୁଥିବା ଲୁହାପଥର ବା ଅନ୍ୟ ଖଣିଜ ପଦାର୍ଥକୁ ତରଳାଇ ସେଥିରୁ ଲୁହା ବା ବକ୍ସାଇଟ ବାହାର କରିବାର କାରଖାନା ପ୍ରତିଷ୍ଠାରେ ସମୟ ବିତାଇଛେ। ହେଲେ ଏହାର ପରବର୍ତ୍ତୀ ଶିଳ୍ପ କଥା ଆମେ ଭାବିନେ। ଆମରି ରାଜ୍ୟରୁ ଉତ୍ପାଦିତ ଲୁହା ଉପରେ ନିର୍ଭର କରି ଆଜି ପଞ୍ଜାବ, ହରିୟାନାରେ ଶହ ଶହ ଗାଡ଼ି ତିଆରି କାରଖାନା ଗଢ଼ି ଉଠିଛି। ଆମର ଏଠି ସାଇକେଲ କାରଖାନାଟିଏ ବି ନାହିଁ।
ମେକ୍‌ ଇନ୍‌ ଓଡ଼ିଶା ୨୦୨୨ରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ମାତ୍ର ୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି, ଯାହା ମୋଟ ପୁଞ୍ଜି ନିବେଶର ପାଖାପାଖି ମାତ୍ର ୦.୭%। କିନ୍ତୁ ସେଥିରେ ଯେଉଁ କର୍ମନିଯୁକ୍ତି ସୃଷ୍ଟି ହେବାର ଆକଳନ ହୋଇଛି, ତାହା ହେଉଛି ୧ ଲକ୍ଷ ୪୪ ହଜାର; ଯାହା ମୋଟ ଆକଳନ ହୋଇଥିବା ନିଯୁକ୍ତି ସୁଯୋଗର ୧୪%। ସେହିଭଳି ଟେକ୍ସଟାଇଲ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି ମାତ୍ର ୨୬୪୦ କୋଟି ଟଙ୍କାର, କିନ୍ତୁ କର୍ମନିଯୁକ୍ତି ଆକଳନ ହୋଇଛି ୩୩ ହଜାର ୫୮୭। ୦.୨%ର ପୁଜିଂ କିନ୍ତୁ ନିଯୁକ୍ତି ୩.୨%, ଯାହାକି ଅନ୍ୟ କ୍ଷେତ୍ରର ନିଯୁକ୍ତି ହାର ଅପେକ୍ଷା ଅଧିକା। ସେହି ସମାନ ସ୍ଥିତି କୃଷି ବିପଣନ ଓ ଏଗ୍ରି ବିଜ୍‌ନେସ୍‌ରେ। କମ୍‌ ପୁଞ୍ଜି ନିବେଶ ପ୍ରସ୍ତାବ କିନ୍ତୁ ଅଧିକ କର୍ମ ନିଯୁକ୍ତିର ସମ୍ଭାବନା। କିନ୍ତୁ ଆମେ ଯଦି ଖଣିଜ ପଦାର୍ଥ ଆଧାରିତ ପୁଞ୍ଜି ନିବେଶର ହାର ଓ ନିଯୁକ୍ତିକୁ ଦେଖିବା, ତା’ହେଲେ ଏହି ହାର କମ୍‌। ଶିଳ୍ପାୟନର ଯେଉଁ ଦୁଇଟା ଉଦ୍ଦେଶ୍ୟ ଅଛି ଯଥା ରାଜକୋଷକୁ ଟିକସ ଆଣିବା ଓ ନିଯୁକ୍ତି ସୃଷ୍ଟି କରିବା, ଏହି ଦୁଇଟା ଭିତରେ ଯଦି ସମନ୍ବୟ ନ ରୁହେ; ତାହାଲେ ରାଜ୍ୟ ହୁଏତ ଧନୀ ହୋଇଯାଇପାରେ; କିନ୍ତୁ ରାଜ୍ୟର ଲୋକମାନେ ଗରିବ ହୋଇଯିବେ। ଆମ ଶିଳ୍ପାୟନର ଦିଶା କୁଆଡ଼େ? ନିଯୁକ୍ତି ସୃଷ୍ଟି କରିବା ନା କେବଳ ରାଜକୋଷ ପାଇଁ ଟିକସ ସଂଗ୍ରହ କରିବା?
ଆଜିର ସମୟରେ ସମଗ୍ର ଅଟୋମୋବାଇଲ ଶିଳ୍ପରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି, ତାହା ହେଉଛି ଇ-ଯାନ ବା ବିଦ୍ୟୁତଚାଳିତ ଗାଡ଼ି। ହେଲେ ଏଥରକ ମେକ୍‌ ଇନ୍‌ ଓଡ଼ିଶାରେ ସେ କ୍ଷେତ୍ରରେ ମାତ୍ର ୫୦୦ କୋଟିର ପ୍ରସ୍ତାବ ଆସିଛି। ସାରା ଦେଶରେ ଏବେ ଇ-ଯାନ ଶିଳ୍ପର ଯେଉଁ ଭିତ୍ତିଭୂମି ଅଛି, ତାହା ହେଉଛି ପାଖାପାଖି ୧ ଲକ୍ଷ କୋଟିର; ଯାହା ଆଗାମୀ ୫ ବର୍ଷ ଭିତରେ ୩ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଯିବ। ସେହି ସ୍ଥିତିରେ ଏହି ୫୦୦ କୋଟିର ପ୍ରକଳ୍ପ କ’ଣ ଓଡ଼ିଶାକୁ ଇ-ଯାନ ଶିଳ୍ପର ଏକ କେନ୍ଦ୍ର ବୋଲି ମାନ୍ୟତା ଦେଇପାରିବ କି? ଆମେ ଅତୀତରେ ସବୁ ସୁବିଧା ଥାଇ ମଧ୍ୟ ଅଟୋମୋବାଇଲ ଶିଳ୍ପରେ ଉତ୍ପାଦନ କେନ୍ଦ୍ର ହେବାର ସୁଯୋଗକୁ ହାତଛଡ଼ା କରିଥିଲେ, ସମାନ ସ୍ଥିତି ଏବେ ହେବାକୁ ଯାଉଛି। ସେହିଭଳି ଓଡ଼ିଶାରେ ଅକ୍ଷୟ ଶକ୍ତିର ପ୍ରବଳ ସମ୍ଭାବନା ଅଛି। ଏବେ ସୁଦ୍ଧା ଓଡ଼ିଶାର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମାତ୍ର ୬୨୭ ମେଗାଓ୍ବାଟ୍‌। ଭବିଷ୍ୟତ ବିଶ୍ୱର ଶକ୍ତି ଉତ୍ସ ହେଉଛି ଅକ୍ଷୟ ଶକ୍ତି। ତେଣୁ କେଉଁଠି ନା କେଉଁଠି ଆମର ଶିଳ୍ପାୟନର ଦିଶା ଆଗାମୀ ଭବିଷ୍ୟତରେ ଯାହା ଯାହା ପରିବର୍ତ୍ତନ ହେବାକୁ ଯାଉଛି, ସେହି ଦିଗରେ ଯିବାର ଆବଶ୍ୟକତା ରହିଛି।
ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିର କାହାଣୀ ୧୯୫୦ ଦଶକରେ ଅତି ଖରାପ ସ୍ଥିତିରୁ ଆରମ୍ଭ ହୋଇ ଅନେକ ଉତ୍ଥାନ ପତନ ଭିତରେ ଆଜିର ସମୟରେ ବଳକା ବଜେଟରେ ପହଞ୍ଚତ୍ଛି। ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଆହ୍ବାନ ହେଉଛି ଆତ୍ମନିଯୁକ୍ତି ଏବଂ ନିଯୁକ୍ତି ସୃଷ୍ଟି କରିବା। ଯେବେଯାଏ ପ୍ରତ୍ୟେକ ବ୍ୟକ୍ତି ପାଖରେ ଅର୍ଥ ଉପାର୍ଜନ କ୍ଷମତା ନ ପହଞ୍ଚତ୍ଛି, ସେତେବେଳ ଯାଏ ଗରିବୀ ହଟିବନି। ତେଣୁ ଆମକୁ ନୂଆ ବିକଳ୍ପର ରାସ୍ତା ବାହାର କରିବାକୁ ପଡ଼ିବ।

ଅନିଲ ବିଶ୍ୱାଳ
ହରିରାଜପୁର, ପୁରୀ
ମୋ: ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri