Categories: ବାଣିଜ୍ୟ

୨୪% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ କର ସଂଗ୍ରହ

ନୂଆଦିଲ୍ଲୀ,୧୩।୧୨: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ଶେଷ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୪% ବୃଦ୍ଧି ଘଟି ୮.୭୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ବାର୍ଷିକ ବଜେଟ ଅନୁମାନଠାରୁ ପ୍ରାୟ ୬୨% (୬୧.୭୯%) ଅଧିକ ବୋଲି ଜଣାପଡିଛି। ଚଳିତ ଆର୍ଥକ ବର୍ଷର ଏପ୍ରିଲରୁ ନଭେମ୍ବର ୩୦ ମଧ୍ୟରେ ଟ୍ୟାକ୍ସ କଲେକ୍ସନ ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୨୪% ( ୨୪.୨୬%) ରୁ ଅଧିକ ରହିଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୧୪.୨୦ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ନେଇ ଅନୁମାନ କରିଥିଲେ। ଏହି ଲକ୍ଷ୍ୟ ପୂର୍ବ ବର୍ଷର ୧୪.୧୦ ଲକ୍ଷ କୋଟି ଟଙ୍କାଠାରୁ ଅଧିକ ରହିଥିଲା। ହେଲେ କର୍ପୋରେଟ୍‌ ଟ୍ୟାକ୍ସ, ପର୍ସନାଲ ଇନ୍‌କମ ଟ୍ୟାକ୍ସକୁ ମିଶାଇ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ହୋଇଥାଏ। ଏପରିକି ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୨୨ ଏପ୍ରିଲ ୧ରୁ ନଭେମ୍ବର ୨୦ ମଧ୍ୟରେ ୨.୧୫ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ମଧ୍ୟ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ଆସେସମେଣ୍ଟ ବର୍ଷ ପାଇଁ ନଭେମ୍ବର ୨୦ସୁଦ୍ଧା ୬.୭୯ କୋଟି କରଦାତା ଆୟକର ରିଟର୍ନ ଦାଖଲ କରିଛନ୍ତି। ସେହିଭଳି ମନ୍ତ୍ରଣାଳୟର କହିବା ଅନୁସାରେ ୨୦୨୨-୨୩ ରେ ଗୋଟିଏ ଦିନରେ ୨.୪୨ କୋଟି ଆଇଟିଆର ଦାଖଲ କରିଛନ୍ତି,ଯାହା ଏକ ରେକର୍ଡ ବୋଲି କୁହାଯାଉଛି।

Share