ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ଦୀପ୍ତି

ଢେଙ୍କାନାଳ ଅଫିସ, ୨୧ା୧୧: ଭୁବନେଶ୍ୱର ଜୟଦେବ ବିହାର ଛକ-କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତାକୁ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅଭିନବ ଉଦ୍ୟମ କରିଛନ୍ତି ସଫ୍ଟଓ୍ବେର ଇଞ୍ଜିନିୟର ଦୀପ୍ତି ଦାଶ ଏବଂ ଅନ୍ୟତମ ରନର ସିଦ୍ଧାର୍ଥ ଶଙ୍କର ଦାଶ। ଉଭୟେ ରବିବାର ଭୋର୍‌ ସାଢ଼େ ୪ଟାରୁ ଢେଙ୍କାନାଳରୁ ମାରାଥନ୍‌ରେ ବାହାରି ଅପରାହ୍ନ ୧ଟା ୨୫ରେ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚତ୍ଥିଲେ। ୬୬ କିଲୋମିଟର ଦୀର୍ଘ ପଥ ଅତିକ୍ରାନ୍ତ କରିବା ଲାଗି ସେମାନେ ନେଇଥିଲେ ପାଖାପାଖି ୭ଘଣ୍ଟା ସମୟ। ଦୁଇ ଯୁବ ଅଲଟ୍ରା ମାରାଥନରଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି। ଏଥିପୂର୍ବରୁ ୨୦୧୯ ଅଗଷ୍ଟ ୧୫ରେ ସିଦ୍ଧାର୍ଥ ଅନୁରୂପ ଦାବିନେଇ ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୌଡ଼ିଥିଲେ, ଯାହା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ମାରାଥନ୍‌ ପୂର୍ବରୁ ଢେଙ୍କାନାଳ ସହର କାଞ୍ଚନ ବଜାର ଦଣ୍ଡାସାହିସ୍ଥିତ କଳ୍ପନାଙ୍କ ଘର ସମ୍ମୁଖରେ ତାଙ୍କ ମା’ ଶୈଳବାଳା ଦାଶଙ୍କ ପାଦଛୁଇଁ ଉଭୟେ ଆଶୀର୍ବାଦ ନେଇଥିଲେ। ଶୈଳବାଳା ଜାତୀୟ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିବା ସହ ପରିବାର ସଦସ୍ୟମାନେ ଶଙ୍ଖ ବଜାଇ, ଦୀପଜାଳି ଦୀପ୍ତିଙ୍କ ସଫଳତା କାମନା କରିଥିଲେ। ସୂଚନାଯୋଗ୍ୟ, ଢେଙ୍କାନାଳ ମାଟିର ଝିଅ କଳ୍ପନା ପ୍ରଥମ ଓଡ଼ିଆ ମହିଳା ଭାବେ ୨୦୦୮ରେ ସଫଳତାର ସହ ଏଭରେଷ୍ଟ ଶୀର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ନେତ ଏବଂ ଜାତୀୟ ପତାକା ଉଡ଼ାଇ ରାଜ୍ୟକୁ ଗର୍ବିତ କରିଥିଲେ। ଏହାପରେ ସେ ‘କିଲିମାଞ୍ଜାରୋ’ ଗିରିଶୃଙ୍ଗ ଆରୋହଣ କରି ଇତିହାସରେ ନିଜର ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲେ।
୨୦୧୯ରେ ୫୨ବର୍ଷ ବୟସରେ ସେ ପୁନର୍ବାର ଏଭରେଷ୍ଟ ଅଭିଯାନରେ ଯାଇଥିଲେ। ତେବେ ଶୀର୍ଷରେ ପହଞ୍ଚତ୍ ଫେରିବା ବେଳେ ଅକ୍ସିଜେନ ସରିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ତଳକୁ ଅଣାଯାଇଥିଲା। ସେଠାକାର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା। ଦେଶର ଛାତ୍ରୀଛାତ୍ର, ଯୁବପିଢ଼ି ଏବଂ ମହିଳାଙ୍କ ପ୍ରେରଣାର ଉତ୍ସ ପାଲଟିଥିବା କଳ୍ପନାଙ୍କ ଏଭଳି ଦେହାନ୍ତ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା। ଏଭଳି ଜଣେ ସାହସୀ ମହିଳାଙ୍କ ସ୍ମୃତି ଉଜ୍ଜୀବିତ କରିବା ଲାଗି ଭୁବନେଶ୍ୱର ଜୟଦେବ ବିହାର ଛକ-କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ଲାଗି ଦୀର୍ଘଦିନରୁ ଦାବି ହେଉଛି।