Categories: ଫୁରସତ

ପ୍ରେମିକାଙ୍କୁ ଡେଟ୍‌ରେ ଡାକିଥିଲେ ପ୍ରେମିକ, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା-ପ୍ରେମିକ ଡେଟ୍‌ରେ ଯିବା ଏକ ସାଧାରଣ କଥା। ମାତ୍ର ଚାଇନାର ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ଡେଟ୍‌ ପାଇଁ ଡାକିବା ଭାରି ପଡ଼ିଛି। ଯୁବକଙ୍କ ଗର୍ଲଫ୍ରେଣ୍ଡ ନିଜର ୨୩ ସାଙ୍ଗଙ୍କୁ ଧରି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହା ପରେ ବିଲ୍‌ ଏତେ ଅଧିକ ହୋଇଥିଲା ଯେ, ପ୍ରେମିକ ଜଣକ ସୁଯୋଗ ଦେଖି ସ୍ଥାନ ଛାଡ଼ି ପଳାଇଥିଲେ।
ଚାଇନାର ଝୋଜିୟାଙ୍ଗ୍‌ ଜିଲାରେ ସୋସିଆଲ ମିଡିଆ ଏବଂ ଫୋନ୍‌ ଯୋଗେ ଦୁଇ ଯୁବତୀ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହା ପରେ ଦୁଇଜଣ ଡେଟ୍‌ରେ ଯିବା ପାଇଁ ଯୋଜନା କରିଥିଲେ। ଏଥି ନିମନ୍ତେ ଏକ ରେଷ୍ଟୁରାଣ୍ଟକୁ ବାଛିଥିଲେ, ଯେଉଁଠି ଉଭୟଙ୍କର ପ୍ରଥମ ସାକ୍ଷାତ ହେବାର ଥିଲା। ଯୁବକ ଜଣଙ୍କ ଠିକ୍‌ ସମୟରେ ପ୍ରଥମେ ରେଷ୍ଟୁରାଣ୍ଟରେ ପହଞ୍ଚି ପ୍ରେମିକାଙ୍କୁ ଭେଟିବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲେ।

ପ୍ରେମିକା ଜଣଙ୍କ ରେଷ୍ଟୁରାଣ୍ଟକୁ ଆସିଲେ ସତ ମାତ୍ର ଏକା ନୁହେଁ ସାଙ୍ଗରେ ଆଣିଥିଲେ ତାଙ୍କର ଆଉ ୨୩ ବନ୍ଧୁଙ୍କୁ। ପ୍ରାରମ୍ଭରେ ସବୁ ଠିକ୍‌ଠାକ୍‌ ଥିଲା। ଦୁହେଁ ଦୁହିଁଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। ଏହା ସହିତ ଖାଇବା ପିଇବା ମଧ୍ୟ ହୋଇଥିଲା। ଏହା ପରେ ବିଲ୍‌ ଆସିଥିଲା। ବିଲ୍‌ ଦେଖି ବିଚରା ପ୍ରେମିକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ। ୧୯୮୦୦ ୟୁଆନ ଅର୍ଥାତ୍‌ ୨ ଲକ୍ଷ ୧୭ ହଜାର ଟଙ୍କାର ବିଲ୍‌ ଆସିଥିଲା। ଯାହାକୁ ଦେଖି ପ୍ରେମିକ ଜଣକ ସେଠାରୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ।


ଅନ୍ୟପକ୍ଷରେ ଯୁବତୀ ଜଣଙ୍କ କହିଛନ୍ତି, ପ୍ରେମିକ ତାଙ୍କୁ ଡାକିବାରୁ ସେ ତାଙ୍କ ୨୩ ବନ୍ଧୁଙ୍କୁ ଧରି ଆସିଥିଲେ। ୨ ଲକ୍ଷରୁ ଅଧିକ ଟଙ୍କା ଦେଖି ପ୍ରେମିକ ତାଙ୍କୁ ଛାଡ଼ି ପଳାଇଛନ୍ତି। ଏହା ପରେ ଯୁବତୀ ଜଣଙ୍କ ପୋଲିସର ସହାୟତା ନେଇଥିଲେ। ପରେ ପ୍ରେମିକ କେବଳ ଦୁଇଜଣଙ୍କ ବିଲ୍‌ ଭରଣ କରିଛନ୍ତି।

Share