Categories: ଖେଳ

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି ହୋଇ ମାଲାମାଲ୍‌ ହୋଇଛନ୍ତି। ଏହି ନିଲାମରେ ସ୍ମୃତି ମନ୍ଧାନାଙ୍କ ଉପରେ ସବୁଠାରୁ ବଡ ମୂଲ୍ୟ ଲଗାଯାଇଥିଲା। ତେବେ ନିଲାମ ଶେଷ ହେବା ପରେ ଅକ୍ସନର(ନିଲାମଧାରୀ) ଦାୟିତ୍ୱ ତୁଲାଉଥିବା ମଲ୍ଲିକା ସାଗର ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ବେଶ ଭଲ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିଥିବାରୁ କ୍ରିକେଟ ପ୍ରଶଂସକଙ୍କ ସହ ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତ୍ତିକ ମଧ୍ୟ ତାଙ୍କ ଶୈଳୀକୁ ପ୍ରଶଂସା କରିଛନ୍ତି।

କାର୍ତ୍ତିକ ଟୁଇଟ୍‌ କରି ମଲ୍ଲିକା ସାଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମଲ୍ଲିକା ସାଗର ଜଣେ ମହାନ ନିଲାମକାରୀ। ଆତ୍ମବିଶ୍ୱାସୀ, ସ୍ପଷ୍ଟ ଏବଂ ଅତ୍ୟନ୍ତ ସନ୍ତୁଳିତ। ତାଙ୍କୁ ମହିଳା ପ୍ରିମିୟର ଲିଗ୍‌ରେ ନିଲାମକାରୀ ଭୂମିକା ପ୍ରଦାନ କରିଥିବାରୁ ବିସିସିଆଇକୁ ଅଭିନନ୍ଦନ। ’ଏବେ ଏହି ଟୁଇଟ୍‌ ଭାଇରାଲ ହେଉଥିବା ବେଳେ ପ୍ରଶଂସକ ମଜାଦାର ପ୍ରତିକ୍ରିୟା ରଖୁଛନ୍ତି।

କହିରଖୁଛୁ, ଆଇପିଏଲ ୨୦୨୩ ପାଇଁ ନିଲାମଧାରୀଙ୍କ ଭୂମିକା ହଗ ଏଡ୍‌ମଡ୍‌ସ ତୁଲାଇଥିଲେ। ମହିଳା ପ୍ରିମିୟର ଲିଗ ପାଇଁ ମଲ୍ଲିକା ସାଗରଙ୍କୁ ବିସିସିଆଇ ଏହି ଦାୟିତ୍ୱ ଦେଇଥିଲା। ଏହାପୂର୍ବରୁ ମଲ୍ଲିକା ପ୍ରୋ କବାଡି ଲିଗରେ ଖେଳାଳିଙ୍କୁ ନିଲାମ କରିଛନ୍ତି। ମଲାଇକା ମୁମ୍ବାଇର ସେଣ୍ଟର ଫର ମଡର୍ନ ଆଣ୍ଡ କଣ୍ଟେମ୍ପାର୍ଟାରୀ ଆର୍ଟରେ କ୍ୟୁରେଟାରୀ ପରାମର୍ଶଦାତା। ସେ ଆର୍ଟ ଇଣ୍ଡିଆ କନ୍ସଲଟାଣ୍ଟ ଫାର୍ମରେ ମଧ୍ୟ ଅଂଶୀଦାର ଅଟନ୍ତି। ମଲ୍ଲିକା ଆଇପିଏଲ୍‌ ନିଲାମର ପୁରୁଣା ଭିଡିଓ ଦେଖି ଡବ୍ଲ୍ୟୁପିଏଲ୍‌ ନିଲାମ ପାଇଁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

Share