ନୂଆଦିଲ୍ଲୀ,୨୯ା୧୦: ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଓପନର କିଏ? ଏହି ପ୍ରଶ୍ନର ଉତ୍ତରରେ ଅନେକ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିପାରେ। କିନ୍ତୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ କାର୍ତ୍ତିକ ଏହି ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଛନ୍ତି । ତାଙ୍କ ମତରେ, ଭାରତୀୟ ଯୁବ ବ୍ୟାଟର ଅଭିଷେକ ଶର୍ମା ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଓପନର । ଅଭିଷେକଙ୍କ ନିରନ୍ତର ଭଲ ପ୍ରଦର୍ଶନକୁ କାର୍ତ୍ତିକ ଖୁବ୍ ପ୍ରଶଂସା କରିଛନ୍ତି।
କ୍ରିକବଜ୍ ସହ ଆଲୋଚନା ସମୟରେ କାର୍ତ୍ତିକ କହିଛନ୍ତି ଯେ ଅଭିଷେକ ଏବେ ପ୍ରତି ୫ରୁ ୬ଟି ପାଳି ମଧ୍ୟରେ ବଡ଼ ସ୍କୋର କରୁଛନ୍ତି । ଏପରିକି ଏବେ ସେ ୨ରୁ ୩ଟି ପାଳି ମଧ୍ୟରେ ମଧ୍ୟ ବଡ଼ ରନ୍ କରିବାରେ ସଫଳ ହେଉଛନ୍ତି । ଅଭିଷେକ ଶର୍ମାଙ୍କୁ ଅଫ୍ ସ୍ପିନ୍ ବୋଲିଂ ବିରୋଧରେ ଦୁର୍ବଳ ବ୍ୟାଟର ବୋଲି କେତେକ କ୍ରିକେଟପ୍ରେମୀ ମତ ଦିଅନ୍ତି । ହେଲେ ଏହି ଧାରଣାକୁ କାର୍ତ୍ତିକ ଗ୍ରହଣ କରିନାହାନ୍ତି ।
ସେ କହିଛନ୍ତି, ଯଦି ଅଭିଷେକ ଅଫ୍ ସ୍ପିନରଙ୍କ ବିପକ୍ଷରେ ୧୦ରୁ ୧୨ଟି ବଲ୍ରେ ୩୦ ରନ୍ କରି ଆଉଟ୍ ହୋଇଯାଉଛନ୍ତି, ତେବେ ଏଥିରେ ଚିନ୍ତା କରିବାର କିଛି ନାହିଁ । କିନ୍ତୁ ସେ ଯଦି ବଲ୍ର ଦିଗ ବୁଝି ନପାରି ପ୍ରଥମ କିମ୍ବା ଦ୍ୱିତୀୟ ବଲ୍ରେ ଆଉଟ୍ ହୁଅନ୍ତି, କିମ୍ବା ତାଙ୍କ ବ୍ୟାଟିଂ ଟେକ୍ନିକ୍ରେ ସମସ୍ୟା ଦେଖାଯାଏ, ତେବେ ଏହା ଆଲୋଚନାର ବିଷୟ ହୋଇପାରେ। ପୂର୍ବତନ ଭାରତୀୟ ୱିକେଟ୍କିପର ବ୍ୟାଟର କାର୍ତ୍ତିକ ଅଭିଷେକଙ୍କ ଆକ୍ରମଣାତ୍ମକ ବ୍ୟାଟିଂର ଉଦାହରଣ ମଧ୍ୟ ଦେଇଛନ୍ତି । ମାଇକେଲ୍ ବ୍ରେସୱେଲଙ୍କ ପ୍ରଥମ ଓଭରର ପ୍ରଥମ ୪ଟି ବଲ୍ରେ ଅଭିଷେକ ୧୫ ରନ୍ କରିଥିଲେ। ଏହି ପ୍ରଦର୍ଶନ ଦର୍ଶାଉଛି ଯେ ସେ ଅଫ୍ ସ୍ପିନ୍ ବିରୋଧରେ ମଧ୍ୟ ଆକ୍ରମଣ କରିପାରନ୍ତି।
କାର୍ତ୍ତିକଙ୍କ କହିବା ଅନୁସାରେ, ଯେଉଁ ବ୍ୟାଟରଙ୍କୁ ଅଫ୍ ସ୍ପିନ୍ ବିପକ୍ଷରେ ଦୁର୍ବଳ ବୋଲି କୁହାଯାଉଛି, ସେ ଯଦି ବ୍ରେସୱେଲଙ୍କ ଓଭରରେ ୪ଟି ବଲ୍ରୁ ୧୫ ରନ୍ କରିପାରୁଛନ୍ତି, ତେବେ ଏହାକୁ ତାଙ୍କ ଦୁର୍ବଳତା ବୋଲି କୁହାଯାଇପାରିବ ନାହିଁ। ଅଫ୍ ସ୍ପିନ୍ ବିପକ୍ଷରେ କେବେ କେବେ ଆଉଟ୍ ହେବା ସ୍ୱାଭାବିକ ଏବଂ ଏଥିପାଇଁ ଅଧିକ ଚିନ୍ତା କରିବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁସାରେ, ୨୬ ବର୍ଷୀୟ ଅଭିଷେକ ଶର୍ମା ଭାରତ ପକ୍ଷରୁ ୭୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୬୯ଟି ପାଳିରେ ୨,୨୪୦ ରନ୍ କରିଛନ୍ତି । ତାଙ୍କ ବ୍ୟାଟିଂ ହାର ୩୩.୪୩ ରହିଛି । ତାଙ୍କ ନାଁରେ ୪ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ରହିଛି। ଗୋଟିଏ ମ୍ୟାଚ୍ରେ ୧୩୫ ରନ୍ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର।ଅଭିଷେକଙ୍କ ଆକ୍ରମଣାତ୍ମକ ବ୍ୟାଟିଂ, ବଡ଼ ସ୍କୋର କରିବାର କ୍ଷମତା ଓ ନିରନ୍ତର ପ୍ରଦର୍ଶନକୁ ଦେଖି ଦିନେଶ କାର୍ତ୍ତିକ ତାଙ୍କୁ ବର୍ତ୍ତମାନର ବିଶ୍ୱର ଶ୍ରେଷ୍ଠ ଓପନର ବୋଲି କହିଛନ୍ତି।