Categories: ଜାତୀୟ

ହାଥ୍‌ରସ ମାମଲାର ତଦନ୍ତ କରୁଥିବା ଡିଆଇଜିଙ୍କ ସ୍ତ୍ରୀ ମୃତ

ଲକ୍ଷ୍ନୌ, ୨୫ା୧୦: ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଡିଆଇଜି ଚନ୍ଦ୍ରପ୍ରକାଶଙ୍କ ସ୍ତ୍ରୀ ପୁଷ୍ପା ପ୍ରକାଶ (୩୬)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଶନିବାର ମିଳିଛି। ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଏରିଆସ୍ଥିତ ତାଙ୍କ ଘରର ଶିଲିଂ ଫ୍ୟାନ୍‌ରେ ପୁଷ୍ପାଙ୍କ ମୃତଦେହ ଝୁଲୁଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଷ୍ପାଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ତେବେ କେଉଁ କାରଣରୁ ପୁଷ୍ପା ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ହାଥ୍‌ରସ୍‌ରେ ଜଣେ ଦଳିତ ନାବାଳିକାଙ୍କୁ ଉଚ୍ଚଜାତିର ୪ ଯୁବକ ଗଣବଳାତ୍କାର କରିଥିଲେ। ସେପ୍ଟେମ୍ବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଥିଲା। ବରିଷ୍ଠ ଆଇପିଏସ୍‌ ଅଫିସର ଚନ୍ଦ୍ର ପ୍ରକାଶ ଏହି ଟିମ୍‌ରେ ସାମିଲ ଥିଲେ।

Share