ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ ସମାରୋହ ଅତି ଆଡମ୍ବର ସହକାରେ ଶୁଭାରମ୍ଭ ହୋଇଛି। ପ୍ରଥମ ଦିବସରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସୋମବାର ସକାଳେ ଗୁପ୍ତେଶ୍ୱର ଶୈବପୀଠରୁ ୩୨୦ରୁ ଉର୍ଦ୍ଧ୍ୱ ମହିଳାଙ୍କ ଦ୍ୱାରା ଏକ ବିଶାଳ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଏଥିରେ ୨୨ଟି ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରୁ ଜ୍ୟୋତି ଆଣିଥିଲେ। ଏଥିସହ ବିଦ୍ୟାମନ୍ଦିର ପରିସରରେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା।

ମଧ୍ୟାହ୍ନରେ ‘ସାମାଜିକ ଗଣମାଧ୍ୟମର ଉପଯୁକ୍ତ ବିନିଯୋଗ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନଜୀବୀ ହରପ୍ରସାଦ ରଥ, ଅଶେଷନାଥ ମିଶ୍ର, କୁରେଶୁ ପଣ୍ଡା, ଓ ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନେକ ବିଜ୍ଞ ବ୍ୟକ୍ତି ବିଷୟଭିତ୍ତିକ ଆଲୋଚନା କରିଥିଲେ। ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
ଅପରାହ୍ନରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବହୁ ସଂଖ୍ୟକ ସାଧୁସନ୍ଥ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀପଦ ଅଷ୍ଟୋତ୍ତର ଶତ ତ୍ରିଦଣ୍ଡି ସ୍ୱାମୀ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ, ମୁଖ୍ୟବକ୍ତା ଭାବେ ଜୀବନ ମୁକ୍ତା ନନ୍ଦଜୀ ମହାରାଜ (ଚକାପାଦ ଆଶ୍ରମ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ସ୍ୱାମୀ ସଦାଶିବାନନ୍ଦ ଜୀ, ମହନ୍ତ ରାଧାକାନ୍ତ ଦାଶ ଓ ପ୍ରାଧ୍ୟାପକ ବୃନ୍ଦାବନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ସମାରୋହ ସମିତିର ସଭାପତି ରାମଚନ୍ଦ୍ର ସାହୁ, ପରିଚାଳନା ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ବିଷୋୟୀ ଏବଂ ସମ୍ପାଦକ ପ୍ରହଲ୍ଲାଦ ଡାକୁଆଙ୍କ ତତ୍ତ୍ୱାବଧାନରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ପୂର୍ବତନ ଛାତ୍ରଛାତ୍ରୀ ଏହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


