ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାବେଶ ସ୍ଥଳରେ ବିଧାୟକ ପହଞ୍ଚିବା ପରେ ଉପସ୍ଥିତ ମହିଳାମାନେ ତାଙ୍କୁ ବନ୍ଦାପନା କରିବା ପରେ ବିରାଟ ଶୋଭାଯାତ୍ରାରେ ସମାବେଶ ସ୍ଥଳକୁ ପାଛୋଟି ନେଇଥିଲେ ।
ସମାବେଶରେ ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ, ଭୀଷ୍ମଗିରି ଭାଜପା ମଣ୍ଡଳ ସଭାପତି ଶଶାଙ୍କ ଶେଖର କର, ସୁଦାମ ବେହେରା, ବିକ୍ରମ ପାତ୍ର , ବାବୁଲା ମଳିକ, ରାମଚନ୍ଦ୍ର ପାତ୍ରଙ୍କ ସମେତ କୁଇ ସମାଜର ସଭାପତି ଅର୍ଜୁନ ମଳିକ ଓ କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ । ବିଭିନ୍ନ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ବିକାଶ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଧାୟକ ଉଦବୋଧନ ଦେଇଥିଲେ। ଏଥିସହ ଜନଜାତି କୁଇ ସମାଜ ଗୃହର ମରାମତି ଓ ପୁନଃ ନିର୍ମାଣ କରାଯିବା ସହ ଗ୍ରାମରେ ରହିଥିବା ବିବିଧ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।
ସଭା ଶେଷରେ ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ର ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କୁ କୁଇ ସମାଜ ପକ୍ଷରୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ପରେ ବିଧାୟକ ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ଠାରେ ଚାଲିଥିବା ଶ୍ରୀ ନିଳକଣ୍ଠେଶ୍ବର ମହାଦେବଙ୍କ ଜିର୍ଣ୍ଣୋଦ୍ଧାର ଏବଂ ନବନିର୍ମିତ ଶ୍ରୀ ହନୁମାନ ଓ ଶ୍ରୀ ବିଘ୍ନେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରି ଫେରିଥିଲେ ।