ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ବହୁ ସଂଖ୍ୟକ ଚାଷୀ ଅନଲାଇନ୍ ପେମେଣ୍ଟ ସମ୍ପର୍କରେ ଅଭ୍ୟସ୍ତ ନଥିବା କାରଣରୁ ସାର କ୍ରୟରେ ସମସ୍ୟା ଭୋଗୁଛନ୍ତି । ଅନେକ ଚାଷୀଙ୍କ ଆଣ୍ଡ୍ରଏଡ ଫୋନ ନଥିବା ସହ ଫୋନ ପେ, ଗୁଗଲପେ କଣ ଜାଣନ୍ତି ନାହିଁ ।

ଚାଷୀ ସାର କିଣିବାକୁ ନଗଦ ଅର୍ଥ ଧରି ସମବାୟ ସମିତି କାର୍ଯ୍ୟାଳୟକୁ ଗଲେ ସମବାୟ ସମ୍ପାଦକମାନେ ସାର ଦେବାକୁ ମନା କରୁଛନ୍ତି। ବାଧ୍ୟ ହୋଇ ଚାଷୀ ତାଙ୍କ ସମ୍ପର୍କୀୟମାନଙ୍କୁ ଡକାଇ ସେମାନଙ୍କ ଫୋନରେ ନିର୍ଦ୍ଧାରିତ ଅର୍ଥରାଶି ଦାଖଲ କଲେ ହିଁ ସାର ମିଳୁଛି । କିନ୍ତୁ ଘରୋଇ ଡିଲରମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇନାହିଁ । ସେମାନେ ଅନଲାଇନ୍ ଏବଂ ଅଫଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ କରୁଛନ୍ତି।

ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଏଭଳି ନିୟମ ପ୍ରଣୟନ କରିଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାୟ ସମସ୍ତ ସେବା ସମବାୟ ସମିତି ଗୋଦାମ ଗୃହରେ ଆବଶ୍ୟକ ସାର ମହଜୁଦ ଥିଲେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସାର ବିକ୍ରୀ କରାଯାଉନାହିଁ।କେବଳ ସମବାୟ ସମିତିରୁ ଋଣ ନେଇଥିବା ଚାଷୀଙ୍କୁ ହିଁ ସାର ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ରହୁଥିବାରୁ ଅନେକ ଭାଗଚାଷୀ ସାର ପାଇଁ ହଟହଟା ହେଉଛନ୍ତି । ଚଳିତବର୍ଷ ୫୦ କେଜି ବିଶିଷ୍ଟ ଏନପିକେ ଗ୍ରୋମର ସାର ବସ୍ତା ପିଛା ୨୨ ଶହ ଟଙ୍କା, ୟୁରିଆ ବସ୍ତା ୨୬୬ ଟଙ୍କା ୫୦ ପଇସା, ଏମଓପି ପଟାସ ବସ୍ତା ୨୨ ଶହ ଟଙ୍କା ଏବଂ ନାନୋ ଅଧା ଲିଟରକୁ ୨୨୫ ଟଙ୍କା ରେ ବିକ୍ରୀ କରାଯାଉଥିବା ଜଣାପଡିଛି।

ଦିଗପହଣ୍ଡି ପ୍ରାଥମିକ ସେବା ସମବାୟ ସମିତି ଅଧିନରେ ୯ ଶହରୁ ଉର୍ଦ୍ଧ୍ବ ଚାଷୀଙ୍କ ପାଇଁ ପ୍ରାୟ ୧୨୧.୫୦ ଟନ୍ ୟୁରିଆ ସାର ଆବଶ୍ୟକ ଥିବା ବେଳେ ରବିବାର ସୁଦ୍ଧା ୯୦ ଟନ୍ ସାର ଆସିଛି । ତେଣୁ ସାର ପାଇଁ ଚଳିତବର୍ଷ ଅସୁବିଧା ନାହିଁ ବୋଲି କୁହାଯାଇଛି।

 

Dharitri – Odisha’s No.1 Odia Daily

Share