Categories: ବାଣିଜ୍ୟ

ବିଓବି ପକ୍ଷରୁ ‘ଡିଜିଟାଲ ଋଣ’କର୍ମଶାଳା

ନୂଆଦିଲ୍ଲୀ,୧୪।୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଏକ ଜାତୀୟ ସ୍ତରର କର୍ମଶାଳା ‘ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ’ ପଞ୍ଜାବର ଅମୃତସରଠାରେ ଆୟୋଜିତ ହୋଇଯାଇଛି। ବିଶେଷକରି ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ନିମନ୍ତେ ‘ଡିଜିଟାଲ ଋଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଉକ୍ତ ହିନ୍ଦୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦେଶର ପ୍ରମୁଖ ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଉକ୍ତ ସମ୍ମିଳନୀର ପୃଷ୍ଠଭୂମି ଉପରେ ବିଓବିର ରାଜଭାଷା ଏବଂ ସଂସଦୀୟ ସମିତିର ମୁଖ୍ୟ ସଞ୍ଜୟ ସିଂହ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ବର୍ତ୍ତମାନ ସମୟରେ ଡିଜିଟାଲୀକରଣ ପ୍ରକ୍ରିୟା ଉପରେ ସଚେତନତା ଆଣିବା ନିମନ୍ତେ ‘ଡିଜିଟାଲ ଋଣ’ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଉଛି ବୋଲି ସେ ମତପ୍ରକାଶ କରିଛନ୍ତି। ଏପରିକି ବିଓବି ଦ୍ୱାରା ଦୀର୍ଘ ୯ବର୍ଷ ଧରି ଏହି ପ୍ରକାରର ହିନ୍ଦୀ ସମ୍ମିଳନୀର ଆୟୋଜନ କରାଯାଉଛି। ଯେଉଁଥିରେ ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକର କର୍ମଚାରୀମାନେ ଯୋଗ ଦେଉଛନ୍ତି। ଏହି ଅବସରରେ ବିଓବି ଅମୃତସର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ସତ୍‌ପାଲ ମେହେର ଏବଂ ଉପ-କ୍ଷେତ୍ରୀୟ ମୁଖ୍ୟ ଆଶୋକ କୁମାର ବିଶେଷ ଭାବେ ଉପସ୍ଥିତ ଥିଲେ। ଉକ୍ତ ସମ୍ମିଳନୀରେ ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥାଗୁଡିକର ଉଚ୍ଚାଧିକାରୀଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ବିଶେଷକରି ବିଓବିର ସହାୟକ ମହାପ୍ରବନ୍ଧକ (ରାଜଭାଷା ଏବଂ ସଂସଦୀୟ ସମିତି) ପୁନୀତ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share