ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଡ଼. ରାମପ୍ରସାଦ ପାଢ଼ୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରି ସମଗ୍ର ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ତାଙ୍କୁ ଯୁବ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଓଡି଼ିଶା ବିଜ୍ଞାନ ଏକାଡେମୀ ସମ୍ପାଦିକା ଶିବାନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼. ରାମପ୍ରସାଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରିଥିବା ଜଣାପଡିଛି।
ଏହି ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଚିତ୍ରା ଆରୁମୁଗମ୍, ରାଜ୍ୟ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ, ଉପ ଶାସନ ସଚିବ ଉର୍ମିପ୍ରଭା ମହାରଣା ଉପସ୍ଥିତ ଥିଲେ। ଭୀଷ୍ମଗିରି ଗ୍ରାମ ରଧାଦେଇପୁର ଶାସନ ସାହିର ସ୍ବର୍ଗତ କପିଳ ପାଢ଼ୀ ଏବଂ ମାଆ ବାସନ୍ତୀ ପାଢ଼ୀଙ୍କ ପୁତ୍ର ରାମପ୍ରସାଦ ୧୯୮୯ ମସିହା ଜୁନ୍ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ସରିବା ପରେ ସେ ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠରେ ମାଟ୍ରିକ ପଢ଼ିଥିଲେ । ପରେ ବ୍ରହ୍ମପୁର ସ୍ଥିତ ଖଲିକୋଟ କଲେଜରେ ପାଠ ପଢ଼ା ସାରିବା ପରେ ୨୦୧୧ ମସିହାରେ ଏନ୍ଆଇଟି ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ବି.ଟେକ୍ କରିବା ପରେ ସେ ୨୦୧୧ ରୁ ୨୦୧୫ ମସିହା ପର୍ଯ୍ୟନ୍ତ ସାମସଙ୍ଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦିଲ୍ଲୀରୁ ନିଜର ଗବେଷଣା କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୨୦ ରେ ପିଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ । ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ସିମେନ୍ ଟେକ୍ନୋଲୋଜି ଆଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ , ବେଙ୍ଗାଲୁରୁ ଏବଂ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଆଇଆଇଟି କାଞ୍ଚିପୁରମ୍ ଠାରେ କାର୍ଯ୍ୟ କରିଥିଲେ ।
ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ ଆଇଆଇଟି ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ସ୍ୱୟଂଚାଳିତ ଯାନଚାଳନ ପ୍ରଣାଳୀ, ଲାଇଡାର୍ ପରସେପ୍ସନ, ମାନବବିହୀନ ଆକାଶଯାନ(ୟୁଏଭି), ନାଭିଗେସନ୍ ଏବଂ ତ୍ରିମାତ୍ରିକ ବସ୍ତୁ ଚିହ୍ନଟ କ୍ଷେତ୍ରରେ ଗବେଷଣା କରୁଥିଲେ । ଏହାସହ ୧୪ଟି ଗବେଷଣା ସମ୍ବଧିତ ପ୍ରବନ୍ଧ ଏବଂ ଖ୍ୟାତିସମ୍ପନ୍ନ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀ ଗୁଡ଼ିକରେ ୯ଟି ଗବେଷଣାମୂଳକ ସନ୍ଦର୍ଭ ଉପସ୍ଥାପନ କରିବା ସହ ବୁଦ୍ଧିମାନ ପରିବହନ ଏବଂ ସ୍ୱୟଂଚାଳିତ ପ୍ରଣାଳୀ କ୍ଷେତ୍ରରେ ତାଙ୍କ ଦ୍ୱାରା ପ୍ରକାଶିତ ୪ ଟି ପେଟେଣ୍ଟ ସହିତ ଜଡିତ ରହିଛନ୍ତି । ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁ ସଂଖ୍ୟକ ଗବେଷଣାମୂଳକ ତଥ୍ୟ ପ୍ରକାଶ କରି ସେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାବେଳେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ), କମ୍ପ୍ୟୁଟର ଭିଜନ ଏବଂ ସ୍ୱୟଂଚାଳିତ ପ୍ରଣାଳୀ ଭଳି ଆଧୁନିକ ବୈଷୟିକ କ୍ଷେତ୍ରରେ କରାଯାଇଥିବା ଗବେଷଣାକୁ ଚିହ୍ନଟ କରିଥିବାରୁ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ କରାଯାଇଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ପରେ ସମଗ୍ର ଦିଗପହଣ୍ଡି ବ୍ଳକ ତଥା ଭୀଷ୍ମଗିରି ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଶୁଭେତ୍ସାର ସୁଅ ଛୁଟୁଛି। ଏଭଳି ବିରଳ ସଫଳତା ହାସଲ କରି ସେ ସମଗ୍ର ଗଞ୍ଜାମ ଜିଲା ତଥା ଦିଗପହଣ୍ଡି ଅଞ୍ଚଳ ପାଇଁ ଗୈାରବ ଆଣିଛନ୍ତି ବୋଲି ପୈତୃକ ଗ୍ରାମ ଭୀଷ୍ମଗିରିର ବହୁ ସଂଖ୍ୟକ ବୁଦ୍ଧିଜୀବୀ ମତ ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।