ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍. ତ୍ରିପତିଙ୍କ ନେତୃତ୍ୱରେ ବୁଧବାର ଅପରାହ୍ନରେ ଖମାରି ଗାଁ ଇଲାକାରେ ପାଟ୍ରୋଲିଂ କରାଯାଉଥିଲା।
ପାଟ୍ରୋଲିଂ ସମୟରେ ଖମାରି ଗାଁ ପଞ୍ଚାୟତ ବାରିତୋଳା ଗ୍ରାମର ସୁରେନ୍ କୁମାର ମହାନ୍ତି ଏକ ହିରୋହଣ୍ଡା ବାଇକ୍ (ନଂ.ଓ ଆର ୦୭ ଆର୍- ୦୦୩୬) ଯୋଗେ ଆସୁଥିବା ବେଳେ ଅବକାରୀ କର୍ମଚାରୀମାନେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ବ୍ୟାଗରୁ ଏକ ପ୍ଲାଷ୍ଟିକ୍ ଜାରକିନରେ ୯ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଥିଲା।
ସେହିପରି ଖମାରି ଗାଁ ଶ୍ରୀ ଉଜ୍ଜ୍ୱଳେଶ୍ୱର ଶୈବପୀଠ ନିକଟ ରାସ୍ତାରେ କଇଠଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମର ଦଣ୍ଡାସି ନାୟକଙ୍କ ନିକଟରୁ ଏକ ପ୍ଲାଷ୍ଟିକ୍ ଜାରକିନରେ ଥିବା ୧୫ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଥିଲା।
ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବାଇକ୍ଟିକୁ ମଧ୍ୟ ଜବତ କରାଯାଇଥିଲା। ଅବକାରୀ ଥାନାରେ ପୃଥକ ଭାବେ ମାମଲା ନଂ.୧୬୨/୨୫-୨୬ ଏବଂ ୧୬୩/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ସୁରେନ୍ କୁମାର ମହାନ୍ତି ଏବଂ ଦଣ୍ଡାସି ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଅବକାରୀ କନେଷ୍ଟବଳ ଏସ୍କେ. ରାଜେଶ ଉଦ୍ଦିନ୍, ବଳରାମ ପାତ୍ର, ରାଜେଶ କୁମାର ଜେନା ପ୍ରମୁଖ ସାମିଲ ଥିଲେ।


