ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଶୁବମନ ଗିଲଙ୍କୁ ୫୦ ଓଭର ଫର୍ମାଟର ଅଧିନାୟକ କରାଯିବା ପରେ ଏହି ଦୁଇ ଦିଗଗଜ ଖେଳାଳିଙ୍କ ଭବିଷ୍ୟତ ନେଇ ଅନେକ ଚର୍ଚ୍ଚା ହେଉଛି।
ତେବେ ଅଗରକର ସ୍ପଷ୍ଟ କରିଛନ୍ତି ଯେ, ଉଭୟ ଖେଳାଳିଙ୍କ ଅବଦାନକୁ ଦୃଷ୍ଟିରେ ରଖି ପ୍ରତି ମ୍ୟାଚରେ ସେମାନଙ୍କୁ ‘ପରୀକ୍ଷା’ କରାଯିବ ନାହିଁ। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତ ଓ କୋହଲି ଭାରତୀୟ ଦଳରେ ସାମିଲ ଅଛନ୍ତି। ଅଗରକର କହିଛନ୍ତି, “ବର୍ତ୍ତମାନ ଉଭୟେ ଅଷ୍ଟ୍ରେଲିଆ ସିରିଜ ଦଳରେ ଅଛନ୍ତି। ସେମାନେ ଅସାଧାରଣ ଖେଳାଳି, କିନ୍ତୁ ଦୁଇ ବର୍ଷ ପରେ ପରିସ୍ଥିତି କ’ଣ ହେବ ତାହା କହିବା କଷ୍ଟ। ହୁଏତ ନୂଆ ଖେଳାଳି ସୁଯୋଗ ପାଇପାରନ୍ତି। ଏହା କେବଳ ରନ୍ ସଂଗ୍ରହ ନୁହେଁ, ଟ୍ରଫି ଜିତିବା ଉପରେ ନିର୍ଭର କରେ। ଯଦି ସେମାନେ ଅଷ୍ଟ୍ରେଲିଆ ସିରିଜରେ ତିନୋଟି ଶତକ ମାରିଲେ ମଧ୍ୟ ସେମାନେ ୨୦୨୭ ବିଶ୍ୱକପ ଖେଳିବେ ବୋଲି ନିଶ୍ଚିତ ନୁହେଁ। ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ।”
ସେ ଦଳରେ ‘ପୁରାତନ ଖେଳାଳି’ଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା କରି କହିଛନ୍ତି, “ଏହି ଖେଳାଳିମାନେ ନିଜ ପାଇଁ ଏକ ଐତିହ୍ୟ ସୃଷ୍ଟି କରିଛନ୍ତି। ଅଭିଜ୍ଞ ଖେଳାଳିଙ୍କୁ ସମ୍ମାନ ଦେବା ଆବଶ୍ୟକ। ସେମାନଙ୍କ ସହ ଆଲୋଚନା ସର୍ବସାଧାରଣରେ ପ୍ରକାଶ ପାଏ ନାହିଁ, କିନ୍ତୁ ସେମାନଙ୍କ ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ରହିଛି।” ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଖେଳାଳିମାନେ ଦଳକୁ ମଜବୁତ କରିବା ସହ ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ କରୁଛନ୍ତି।

