ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆୟୋଜିତ ଏହି ଶିବିରରେ ମୌଳିକ ବ୍ୟବସ୍ଥାର ଅଭାବ ଯୋଗୁ ଦୂରଦୂରାନ୍ତରୁ ଆସିଥିବା ଭିନ୍ନକ୍ଷମ ଓ ସେମାନଙ୍କ ସମ୍ପର୍କୀୟମାନେ ନାନା ହଇରାଣହରକତର ସମ୍ମୁଖୀନ ହୋଇଥିବା ଦେଖାଯାଇଥିଲା।
ସୂଚନା ଅନୁଯାୟୀ, ଶିବିର ସକାଳ ୧୦ଟାରେ ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ଏହାକୁ ଲକ୍ଷ୍ୟ ରଖି ବହୁ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ସମ୍ପର୍କୀୟ ସକାଳ ପ୍ରାୟ ୮ଟାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଯାଇଥିଲେ। ଦୂରଦୂରାନ୍ତରୁ ଆସିଥିବାରୁ ଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଘରକୁ ଫେରିବାକୁ ସେମାନେ ଆଶା ରଖିଥିଲେ। କିନ୍ତୁ ଧାର୍ଯ୍ୟ ସମୟରେ ଶିବିର ଆରମ୍ଭ ନ ହୋଇ ଦିନ ପ୍ରାୟ ୧୨ଟା ୩୦ ପରେ ଆରମ୍ଭ ହୋଇଥିଲା। ଫଳରେ ଭୋକଉପାସରେ ଦୀର୍ଘ ସମୟ ଧରି ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା।
ଅନ୍ୟପକ୍ଷରେ, ଶିବିର ପାଇଁ ଛାମୁଡ଼ା (ଟେଣ୍ଟ) ମରାଯାଇଥିବା ସ୍ଥାନରେ ବର୍ଷାଜଳ ଜମି ରହିଥିଲା। ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଛାମୁଡ଼ା ତଳେ ବସିବାର ସୁବିଧା ପାଇ ନ ଥିଲେ। ଅତ୍ୟଧିକ ଲୋକ ହୋଇଯିବାରୁ ଅନେକଙ୍କୁ ବାହାରେ ବସିବାକୁ ପଡ଼ିଥିଲା। ହେଲେ ପ୍ରଥମେ ଟାଣ ଖରା ଓ ପରେ ଜୋରଦାର ବର୍ଷା ହେବାରୁ ଭିନ୍ନକ୍ଷମମାନେ ଖରାରେ ସିଝୁଥିଲେ ଏବଂ ବର୍ଷାରେ ଭିଜୁଥିଲେ। କେହି କେହି ଚେୟାର ମୁଣ୍ଡାଇ ଠିଆ ହୋଇଥିଲେ। ଆଉ କେଉଁଠି ଗୋଟିଏ ଛତା ତଳେ ଏକାଧିକ ଲୋକ ମୁଣ୍ଡ ଗୁଞ୍ଜି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।
ସେହିପରି ଶିବିରରେ ବିଦ୍ୟୁତ୍ ବ୍ୟବସ୍ଥା ନ ଥିବା ମଧ୍ୟ ଅନ୍ୟତମ ଅବ୍ୟବସ୍ଥା ଭାବେ ଦେଖାଦେଇଥିଲା। ଅନ୍ଧାର ମଧ୍ୟରେ ଡାକ୍ତରମାନେ ଟର୍ଚ୍ଚଲାଇଟ୍ର ସାହାଯ୍ୟ ନେଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପରୀକ୍ଷା କରୁଥିବା ଦେଖାଯାଇଥିଲା।
ସରକାର ଏଭଳି ଶିବିର ପାଇଁ ପର୍ଯ୍ୟାପ୍ତ ସହାୟତା ଓ ଅନୁଦାନ ଯୋଗାଇ ଦେଉଥିଲେ ମଧ୍ୟ ଏଠାରେ ତାହାକୁ ଠିକ୍ ଭାବେ ପରିଚାଳନା କରାଯାଉ ନ ଥିବାରୁ ଏପରି ଅସୁବିଧା ଉପୁଜୁଛି ବୋଲି ଅନେକ ଭିନ୍ନକ୍ଷମ ମତ ଦେଇଥିଲେ। ଏଭଳି ଅବ୍ୟବସ୍ଥାକୁ ନେଇ ଶିବିରକୁ ଆସିଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।
ଏ ସମ୍ପର୍କରେ ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି ଯେ, ପ୍ରତିକୂଳ ପାଗ ଯୋଗୁଁ ଏପରି ଅସୁବିଧା ଉପୁଜିଥିଲା।