ଭିନ୍ନକ୍ଷମ ଲଳିତାଙ୍କୁ ମିଳିନି ଆବାସ ଯୋଜନାରେ ଘର

ଲାଠୋର, ୯ା୧୦ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ଚାଉଲଡିଆ ଗ୍ରାମର ଭିନ୍ନକ୍ଷମ ଲଳିତା ରଣା(୩୫)। ସ୍ବାମୀ ଶୋଭାକର ରଣା(୪୫), ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଜମିବାଡି କିଛି ନାହିଁ। ସ୍ବାମୀ ପରଘରେ ମୂଲ ଲାଗନ୍ତି। ହେଲେ ଅଧିକାଂଶ ସମୟ କାମ କରି ନ ପାରି ଘରେ ବସି ରହନ୍ତି। ଆର୍ଥିକ ଅନଟନ ହେତୁ ଭଲ ଘର ଖଣ୍ଡିଏ କରି ପାରି ନାହାନ୍ତି। ଏକ ମାଟି ଖପର ଘରେ ପରିବାର ବର୍ଗ ମୁଣ୍ଡ ଗୁଞ୍ଜିଛନ୍ତି। ୧୩ବର୍ଷ ତଳେ ଲଳିତା କୌଣସି ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଦୁଇହାତ ଅଚଳ ହୋଇଗଲା। ଯାହା ଅର୍ଥ ସାଇତି ରଖିଥିଲେ ସେଥିରେ ବିଭିନ୍ନ ହସ୍ପିଟାଲ ନେଇ ଚିକିତ୍ସା କଲା ପରେ ବି ଠିକ୍‌ ହୋଇ ପାରିଲେ ନାହିଁ। ଲଳିତା ଶତକଡା ୫୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ପ୍ରମାଣ ପତ୍ର ପାଇଛନ୍ତି। ସରକାରୀ ସହାୟତା କହିଲେ ମାସକୁ ୫ ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଏବଂ ପଞ୍ଚାୟତରୁ ମାସକୁ ମିଳୁଥିବା ଖାଦ୍ୟ ସୁରକ୍ଷା ଯୋଜନାର ୨୦ କେଜି ଚାଉଳ। ଏହାକୁ ଛାଡି ଦେଲେ ଅନ୍ୟ କୌଣସି ସରକାରୀ ସହାୟତା ସେ ପାଉନାହାନ୍ତି। ଘରର ଅବସ୍ଥା ନ କହିଲେ ଭଲ। ଯେଉଁ ଘରେ ସେମାନେ ବାସ କରୁଛନ୍ତି ବର୍ଷାଦିନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଘର ପାଇଁ ଆଜକୁ ପାଞ୍ଚ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାଗଜପତ୍ର ଦାଖଲ କରିଥିଲେ ସୁଦ୍ଧା ଅଦ୍ୟାବଧି ତାଙ୍କୁ ବାସଗୃହ ପ୍ରଦାନ କରାଯାଇନାହିଁ। ଅଥଚ ତାଙ୍କ ପରେ ଯେଉଁମାନେ ବାସଗୃହ ପାଇବା ପାଇଁ ଆବେଦନ କରିଥିଲେ ସେମାନେ ପାଇ ସାରିଲେଣି। ବାରମ୍ବାର ପଞ୍ଚାୟତ କର୍ତ୍ତୃ୍‌ପକ୍ଷଙ୍କୁ ସାକ୍ଷାତ୍‌ କରି ବାସଗୃହ ଯୋଗାଇ ଦେବା ପାଇଁ କହିଲେ ତୁମ ନାମ ଏସ୍‌ଇସିସି ଲିଷ୍ଟରେ ଆସି ନ ଥିବାରୁ ସମସ୍ୟା ହେଉଛି ବୋଲି କହୁଛନ୍ତି। ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ସ୍ଥଳେ ଲଳିତାଙ୍କୁ ପକ୍କାଘରଟିଏ ଯୋଗାଇ ଦିଆଯାଇ ପାରୁ ନ ଥିବା ଦୁଃଖଦାୟକ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ତେବେ ଜିଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସଂପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କୁ ବାସଗୃହଟିଏ ଯୋଗାଇ ଦେବାକୁ ଦାବି ହେଉଛି।