ଡାଇବେଟିସ୍‌ ଲାଗି ଖାଦ୍ୟ

ଡାଇବେଟିସ୍‌ ଏକ ଅତି ଜଣାଶୁଣା ରୋଗ। ପୃଥିବୀର ମାନଚିତ୍ରରେ ଆମ ଦେଶ ଏବେ ଅନ୍ୟତମ ଡାଇମେଟିକ୍‌ ଦେଶ ଭାବରେ ଚିହ୍ନିତ। ଏହା ଗୋଟିଏ ନିଉଛଣା ରୋଗ। କାରଣ ଡାଇବେଟିସ୍‌ ହେଲେ ତା’ ପଛେ ପଛେ ଧାଡ଼ି ଲଗାଇଥାଆନ୍ତି ଆହୁରି ଅନେକ ରୋଗ। ଆମ ସମସ୍ତଙ୍କ ରକ୍ତରେ ରହିଛି ଗ୍ଲୁକୋଜ୍‌। ଫାଷ୍ଟିଂ ରକ୍ତ ଗ୍ଲୁକୋଜ୍‌ ୧୦୦ ପର୍ଯ୍ୟନ୍ତ ରହିଲେ ତାହା ନର୍ମାଲ, ୧୨୫ରୁ ବେଶି ରହିଲେ ଡାଇବେଟିସ୍‌। ସେହିପରି ଖାଇ ସାରିବା ପରେ ବା ପୋଷ୍ଟ ପ୍ରାଣ୍ଡିଆଲ ରକ୍ତ ଗ୍ଲୁକୋଜ୍‌ ୧୪୦ ଭିତରେ ରହିଥିଲେ ନର୍ମାଲ, ୨୦୦ ପାଖାପାଖି ହୋଇଗଲେ ଡାଇବେଟିସ୍‌। ରକ୍ତରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ଇନସୁଲିନ୍‌ ନାମକ ଏକ ହରମୋନ। ଏହା କ୍ଷରିତ ହୋଇଥାଏ ପାନ୍‌କ୍ରିଆଜ୍‌ ବା ଅଗ୍ନ୍ୟାଶୟରୁ। ଏହାର କ୍ଷରଣ କମିଗଲେ କିମ୍ବା ସୁଚାରୁ ରୂପେ କାମ କରି ନ ପାରିଲେ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ବଢ଼ିଯାଇ ଡାଇବେଟିସ୍‌ ଜାତ କରେ। ତେଣୁ ଚିକିତ୍ସା ଦ୍ୱାରା ରକ୍ତ ଗ୍ଲୁକୋଜକୁ ଅନୁମୋଦିତ ସ୍ତରରେ ରଖିବା ହିଁ ଡାଇବେଟିସ୍‌ ଚିକିତ୍ସାର ମୂଳମନ୍ତ୍ର। ଏ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ୱ ଡାଇବେଟିସ୍‌ ଦିବସ’ ଭାବରେ ପାଳନ କରାଯାଇଥାଏ।
ଦୀର୍ଘଦିନ ଧରି ଡାଇବେଟିସ୍‌ ଅନିୟନ୍ତ୍ରିତ ହୋଇ ରହିଲେ ତାହା ହୋଇପଡ଼େ ଏକାଧିକ ରୋଗର ସୂତ୍ରଧର। ଅକାମୀ ହୋଇଯାଏ କିଡ୍‌ନୀ। ଜାତ ହୋଇପାରେ ଦୃଷ୍ଟିହୀନତା। ଆକ୍ରାନ୍ତ ହୋଇପାରେ ପାଦ। ସମସ୍ୟା ଦେଖାଦିଏ ହାର୍ଟ ବା ହୃତ୍‌ପିଣ୍ଡରେ। ମସ୍ତିଷ୍କର ସ୍ନାୟୁ କ୍ଷତିଗ୍ରସ୍ତ ହୋଇ ପ୍ରକାଶ ପାଏ ସ୍ମୃତିହାନି। ପେରିଫେରାଲ ସ୍ନାୟୁ କ୍ଷତିଗ୍ରସ୍ତ ହେଲେ ବ୍ୟଥା ଉପୁଜିବା ସଙ୍ଗେ ସଙ୍ଗେ ଚର୍ମ ବଧିରା ଲାଗେ। ମୋଟର ନର୍ଭଜନିତ ହେଲେ ମାଂସପେଶୀ ଦୁର୍ବଳତା ପରିଲକ୍ଷିତ ହୁଏ। ଡାଇବେଟିସ୍‌ ଯୋଗୁ ଜାତ ବିଭିନ୍ନ ଜଟିଳତାକୁ ଡାକ୍ତରମାନେ ନେଫ୍ରୋପାଥି, ରେଟିନୋପାଥି, ନ୍ୟରୋପାଥି ଆଦି କହିଥାଆନ୍ତି। ଡାଇବେଟିସ୍‌ ମଧ୍ୟ କରାଏ ହାର୍ଟ ଆଟାକ ଓ ବ୍ରେନ୍‌ ଆଟାକ ବା ଷ୍ଟ୍ରୋକ୍‌। ପାଦ ଆକ୍ରାନ୍ତ ହୋଇ ଗ୍ୟାଙ୍ଗ୍ରିନ ଜାତ ହେଲେ ଗୋଡ଼କୁ କାଟିବାକୁ ପଡ଼ିପାରେ। ଆଖିରେ ଗ୍ଲୁକୋମା ଏବଂ ଚର୍ମରେ ସୋରିଆସିସ ହେବାର ମଧ୍ୟ ଆଶଙ୍କା ଅଧିକ ରହିଛି। କ୍ଷତିଗ୍ରସ୍ତ ହୋଇପାରେ ଯକୃତ୍‌ ବା ଲିଭର। ବୃଦ୍ଧି ହୋଇଯାଏ ଜୀବାଣୁ-ଭୂତାଣୁ-କବକ ସଂକ୍ରମଣର ପ୍ରବଣତା।
ଖାଦ୍ୟ ନିୟନ୍ତ୍ରଣ, ଶରୀରର ଓଜନ ନିୟନ୍ତ୍ରଣ, ରକ୍ତ ଗ୍ଲୁକୋଜ କମେଇ ପାରୁଥିବା ବଟିକା କି ଇନସୁଲିନ୍‌ ଇଞ୍ଜେକଶନ ଦ୍ୱାରା ରୋଗୀ ଚିକିତ୍ସା କରିଥାଆନ୍ତି ଡାକ୍ତରମାନେ। ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ତା’ର ଅନୁକୂଳ ପ୍ରଭାବ ଯଥେଷ୍ଟ ବେଶି।
ରୋଗୀମାନେ ଜାଣିରଖିବା ଉଚିତ ଯେ ସେମାନଙ୍କର ରକ୍ତରେ ଗ୍ଲୁକୋଜର ମାତ୍ରା ଅନୁମୋଦିତ ସ୍ତରଠାରୁ ଅତି କମିଯିବା କି ଅତି ବଢ଼ିଯିବା ଉଭୟେ ମାରାତ୍ମକ। ତେଣୁ ସେମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଚିକିତ୍ସା ବିଧି ଏପଟସେପଟ କରିବା ଆଦୌ ନିରାପଦ ନୁହେଁ। ରକ୍ତ ପରୀକ୍ଷାର ରିପୋର୍ଟକୁ ବିଚାର କରି ହିଁ ଚିକିତ୍ସା କରୁଥିବା ଡାକ୍ତର ଔଷଧର ମାତ୍ରାକୁ ପରିବର୍ତ୍ତନ କରିଥାଆନ୍ତି। କିନ୍ତୁ ଖାଦ୍ୟ ନିୟନ୍ତ୍ରଣରେ ରହିବା, ନିୟମିତ ବ୍ୟାୟାମ କରିବା ଓ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭାବରେ ରୋଗୀ ଉପରେ ନିର୍ଭର କରିଥାଏ। ରୋଗୀର ସମ୍ପୂର୍ଣ୍ଣ ସହଯୋଗ ବିନା ଡାଇବେଟିସ୍‌ ନିୟନ୍ତ୍ରଣ ଅସମ୍ଭବ।
ଖାଦ୍ୟ ନିୟନ୍ତ୍ରଣ କରିବାରେ ଫାଇଦା: ଡାଇବେଟିସ୍‌ ଚିକିତ୍ସାରେ ଖାଦ୍ୟ ନିୟନ୍ତ୍ରଣ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏପରି କି କେତେକ ରୋଗୀ କୌଣସି ଔଷଧ ନ ଖାଇ ବି କେବଳ ଖାଦ୍ୟ ଦ୍ୱାରା ଡାଇବେଟିସରୁ ଉପଶମ ପାଇଥାଆନ୍ତି। ପୁଣି ଯେଉଁମାନେ ବାରମ୍ବାର ଡାକ୍ତରଙ୍କ ପାଖକୁ ଯାଇପାରନ୍ତିନି, ସେମାନେ ଖାଇବା-ପିଇବାରେ ନିୟମମାନ ପାଳିବା ଅତି ଦରକାର। ଖାଦ୍ୟପେୟକୁ ଜଗିଲେ ନିମ୍ନଲିଖିତ ଉପକାରମାନ ମିଳିଥାଏ।
-ରକ୍ତରେ ଗ୍ଲୁକୋଜର ମାତ୍ରା ବେଶି ବଢ଼ିଯାଏନି କି ବେଶି କମିଯାଏନି। ଫଳରେ ହୃତ୍‌ପିଣ୍ଡ, କିଡ୍‌ନୀ, ଆଖି, ପାଦ, ସ୍ନାୟୁ ଇତ୍ୟାଦି ଉପରେ ପଡୁଥିବା କ୍ଷତିକାରୀ ପ୍ରଭାବ ଊଣା ହୋଇଥାଏ।
-ରକ୍ତରେ ଉପକାରୀ କୋଲେଷ୍ଟରଲ ମାତ୍ରା ବଢ଼ିଯାଏ। କମିଯାଏ ଅପକାରୀ କୋଲେଷ୍ଟରଲ ଓ ଟ୍ରାଇଗ୍ଲିସୋରାଇଡ୍‌ର ମାତ୍ରା।
-ରକ୍ତ ଗ୍ଲୁକୋଜର ମାତ୍ରାକୁ ଅନୁମୋଦିତ ସ୍ତରରେ ରଖିବା ପାଇଁ କମ୍‌ ମାତ୍ରାର ଔଷଧ ଦରକାର ପଡ଼େ।
-ଶରୀରର ଓଜନ କମିଯିବାରୁ ଏହା ଭଲ କାମ କରେ।
-ରକ୍ତ ଚାପ ବଢ଼ିଥିଲେ ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା ଡାଇବେଟିସ୍‌ ରୋଗୀଙ୍କର ଉପକାର ହୁଏ।
ଡାଇବେଟିସ୍‌ ରୋଗୀଙ୍କ ପାଇଁ ମୁଖ୍ୟତଃ ଦରକାର କମ୍‌ କ୍ୟାଲୋରୀ। ତେଣୁ ଦରକାର କ୍ୟାଲୋରୀ ଦେଉଥିବା କମ୍‌ କାର୍ବୋହାଇଡ୍ରେଟ୍‌ ଓ କମ୍‌ ଫ୍ୟାଟ୍‌। ରୋଗୀ ପାଇଁ ଦୈନିକ ଯେତିକି କ୍ୟାଲୋରୀ ବିଶିଷ୍ଟ ଖାଦ୍ୟ ଲୋଡା ତା’ର ୬୦-୭୦ ପ୍ରତିଶତ କାର୍ବୋହାଇଡ୍ରେଟ୍‌ (ଭାତ, ରୁଟି, ଆଳୁ, ଫଳ, ଚିନି)ରୁ, ୧୫-୨୫ପ୍ରତିଶତ ପ୍ରୋଟିନ୍‌ (ଭାତ, ରୁଟି, ଡାଲି, କ୍ଷୀର, ମାଛ, ମାଂସ, ଅଣ୍ଡା)ରୁ ଏବଂ ୧୫-୨୦ ପ୍ରତିଶତ ଫ୍ୟାଟ୍‌ (କ୍ଷୀର, ଲହୁଣି, ଘିଅ, ରୋଷେଇ ତେଲ)ରୁ ଆସିବା ସ୍ବାସ୍ଥ୍ୟ ପାଇଁ ଅନୁକୂଳ। ଏହା ସହ ପ୍ରତିଦିନ ୪୦ ଗ୍ରାମ୍‌ ପରିମାଣର ଖାଦ୍ୟତନ୍ତୁ ବା ଡାଏଟାରୀ ଫାଇବର ଖାଇବା ଉଚିତ୍‌। କ୍ଷୀର, ଦହି, ଛେନା, ମାଛ, ମାଂସ ଓ ଅଣ୍ଡାରେ ଖାଦ୍ୟତନ୍ତୁ ନ ଥାଏ। କେବଳ ଥାଏ ଭାତ, ରୁଟି, ଶାଗ, ପନିପରିବା ଓ ଫଳ ଇତ୍ୟାଦିରେ।
ଖାଦ୍ୟ ସଂକ୍ରାନ୍ତ ନିର୍ଦ୍ଦିଷ୍ଟ ପରାମର୍ଶ
ଯେତେ ଖାଇଲେ ଚଳିବ: ଶାଗ, କଲରା, ବନ୍ଧାକୋବି, ଫୁଲକୋବି, ଓଲକୋବି, କ୍ୟାପସିକମ, କୁନ୍ଦୁରୀ, ଗୁଅଁାର, ବାଇଗଣ, ଭେଣ୍ଡି, ପୋଟଳ, ମୂଳା, ଜହ୍ନି, ଲାଉ, କଖାରୁ, କାକୁଡି, ଟମାଟୋ, ଛତୁ, ପିଆଜ, ସାଲାଡ୍‌, ଧନିଆ ପତ୍ର, ପତଳା ଡାଲି, ମିଠା ପଡି ନ ଥିବା ପାନୀୟ।
କମ୍‌ ପରିମାଣରେ ଖାଇବେ: ଚୋକଡ ମିଶା ଅଟାର ରୁଟି, ବୋଳ ଚାଉଳର ଭାତ, ତଟକା ଫଳ (ଛୋଟ ଆପଲ, ଛୋଟ କଦଳୀ, ଛୋଟ ନାସପାତି, ଛୋଟ କମଳା), ସାଦା ବିସ୍କୁଟ, ଚୁଡା. ମୁଢ଼ି, ଖଇ, ସରକଢ଼ା କ୍ଷୀର ଏବଂ ସେହି କ୍ଷୀରରୁ ପ୍ରସ୍ତୁତ ଦହି ଏବଂ ଛେନା, ଅଣ୍ଡା, କୁକୁଡା ମାଂସ ଓ ମାଛ ଇତ୍ୟାଦି।
ଆଦୌ ନ ଖାଇବା ଭଲ ଚିନି, ଗୁଡ, ମହୁ, ଗ୍ଲୁକୋଜ୍‌, କେକ୍‌, ପିଠା, ମିଠା ବିସ୍କୁଟ, ଚିନି କି ଗୁଡ ପଡିଥିବା ପିଠା ଓ ମିଠା, ଜାମ୍‌, ଜେଲି, ବହଳିଆ କ୍ଷୀର, କଣ୍ଟେନ୍ସଡ ମିଲ୍କ, କ୍ଷୀର ସର, ଲହୁଣି, ଘିଅ, କ୍ରିମ୍‌, ବନସ୍ପତି, ତେଲ କି ଘିଅରେ ଛଣା ହୋଇଥିବା ଖାଦ୍ୟ, ଚକୋଲେଟ୍‌, କିସମିସ, ଖଜୁରି, କାଜୁ, ଫଳରସ, ସ୍କ୍ବାସ, କୋଲ୍ଡ ଡ୍ରିଙ୍କସ, ଲସି, ଆଳୁ, କନ୍ଦମୂଳ, ଦେଶୀ ଆଳୁ, ପାଚିଲା ଆମ୍ବ, ଅଙ୍ଗୁର, ବଡ କଦଳୀ, ଲିଚୁ, ଚର୍ବି ଲାଗିଥିବା ମାଂସ, କଲିଜା, ଚିଙ୍ଗୁଡି, କଙ୍କଡା ଇତ୍ୟାଦି।
ଅବଶ୍ୟ ପାଳନୀୟ: ଦିନକୁ ଦୁଇ ଥର ସରକଢ଼ା କ୍ଷୀର ଓ ଏଥିରୁ ପ୍ରସ୍ତୁତ ଦହି ଓ ଛେନା। ରାତିରେ ଶୋଇବାକୁ ଯିବା ପୂର୍ବରୁ ୧୫୦ ମିଲିଲିଟର ସରକଢ଼ା କ୍ଷୀର। ପ୍ରତ୍ୟେହ କିମ୍ବା ଦିନେ ଛଡା ଦିନେ ୬୦-୭୫ ଗ୍ରାମ ମାଛ। ଚମ କଢ଼ା ଯାଇଥିବା କୁକୁଡା ମାଂସ। କେଶର ନ ଥିବା ଅଣ୍ଡା। ଚର୍ବି କଢ଼ା ଯାଇଥିବା ମାଂସର ଛୋଟ ଖଣ୍ଡ। ତରକାରୀରେ ଭାସୁଥିବା ତେଲ ନିଗାଡି ଦେଇସାରି ତରକାରିକୁ ଖାଇବେ। ଅଳ୍ପ ତେଲ ପକାଇ ନନଷ୍ଟିକ୍‌ କଡେଇ କି ତାଓ୍ବାରେ ରାନ୍ଧିଲେ ଭଲ। ରୋଷେଇ ପାଇଁ ସୋରିଷ ଓ ସୋୟାବିନ୍‌ ତେଲ। ମିଠାଜାତୀୟ ଖାଦ୍ୟ ନ ଖାଇବା ସବୁଠାରୁ ଭଲ। କମ୍‌ ପରିମାଣର ଲୁଣ ଖାଇବେ। ଫାଷ୍ଟଫୁଡ୍‌ ତଥା ମୃଦୁପାନୀୟ ଏବଂ ମଦ, ନିଶାଦ୍ରବ୍ୟ ସେବନ ଇତ୍ୟାଦି ସମ୍ପୂର୍ଣ୍ଣ ମନା। ନିୟମିତ ବ୍ୟାୟାମ, ଯୋଗ, ପ୍ରାଣାୟମ କରନ୍ତୁ। ନିୟମିତ ବ୍ୟବଧାନରେ ଡାକ୍ତରୀ ପରାମର୍ଶ ଅପରିହାର୍ଯ୍ୟ।

ଡା. ନିତ୍ୟାନନ୍ଦ ସ୍ବାଇ
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri