ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ପରେ କେନ୍ଦୁଝର ସିଡିଏମ ଓ ଡାକ୍ତର ଧନେଶ୍ୱର ସେଠୀ ଘଟଣାର ତଦନ୍ତ ଆଦେଶ କରିଛନ୍ତି। ମୃତକ ହେଉଛନ୍ତି ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ବର୍ଷୀୟ ଝିଅ ହୀରାମଣି ନାଏକ(୧୧) ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଗତ ଗୁରୁବାର ସାରେ ଆଶାକର୍ମୀଙ୍କର ୧୧ ବର୍ଷୀୟ ଝିଅ ହୀରାମଣୀ ନାଏକ ଓ ୧୩ ବର୍ଷୀୟ ପୁଅ ଗଗନ ନାଏକଙ୍କୁ ଜ୍ୱର ହୋଇଥିଲା । ଆଶାକର୍ମୀ ଶ୍ରୀଦେବୀ ନାଏକ ସିଂପୁର ANM Centre ଯାଇ ପୁଅ ଓ ଝିଅଙ୍କ ପାଇଁ ଔଷଧ ଆଣି ଉଭୟଙ୍କୁ ଦେଇଥିଲେ । ଏହି ମେଡିସିନର ୨ଟା ଡୋଜ ଉଭୟଙ୍କୁ ଦେବାପରେ ସେମାନେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଏହି ଔଷଧ ANM Centreରୁ ANM ଗୌରିମଣି ମହାନ୍ତ ଆଶା ଶ୍ରୀଦେବୀ ନାଏକଙ୍କୁ ଦେଇଥିଲେ । ଏହାପରେ ଗୁରୁତର ପୁଅ ଓ ଝିଅଙ୍କୁ ପ୍ରଥମେ ବାଂଶପାଳ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୋମବାର ସକାଳେ ହୀରାମଣି ନାଏକଙ୍କର ମୃତ୍ୟୁ ଘଟିଛି । ଏକ୍ସପାୟାରୀ ମେଡିସିନ ଦେଇଥିବା ANM ଦିଦିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଦାବି କରିଛନ୍ତି। ତେବେ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ସତ୍ୟାସତ୍ୟ ଜଣାପଡିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ କହିଛନ୍ତି।

Odisha’s No.1 Odia Daily

Share