Categories: ଜାତୀୟ

ଦିଦିଙ୍କ ଏକଲା ଚଲୋ ନୀତି: ମାଷ୍ଟର ଷ୍ଟ୍ରୋକ୍‌ ନା ବାଧ୍ୟବାଧକତା ?…

କୋଲକାତା,୪।୩ : ଉତ୍ତର-ପୂର୍ବରେ ନିର୍ବାଚନ ଫଳାଫଳ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଫଳ ଆସିବା ମାତ୍ରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ଏକତାକୁ ଏକ ବଡ଼ ଝଟକା ଦେଇଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମମତା ଦିଦି କହିଛନ୍ତି ଯେ ଆମେ ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।

ପଶ୍ଚିମବଙ୍ଗରେ କଂଗ୍ରେସ, ବାମ ଓ ଭାଜପାର ଏକ ଅନୈତିକ ଗୁପ୍ତ ମେଣ୍ଟ ଗଠନ ହୋଇଛି। ସେଥିପାଇଁ ଆମେ ସାଧାରଣ ଜନତାଙ୍କ ସହ ମିଶି ୨୦୨୪ରେ ନିର୍ବାଚନ ଏକାକୀ ଲଢ଼ିବୁ। ମମତାଙ୍କ ଏହି ଘୋଷଣା ଯୋଗୁଁ ଭାଜପା ବିରୋଧରେ ଗଠିତ ବିରୋଧୀ ଦଳ ଏକତାକୁ ବଡ ଧକ୍କା ଲାଗିଛି।

ଏକ ପ୍ରଶ୍ନର ଉତ୍ତରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଯେଉଁମାନେ ଭାଜପାକୁ ପରାସ୍ତ କରିବାକୁ ଚାହୁଁଛନ୍ତି ସେମାନେ ଟିଏମ୍‌ସିକୁ ଭୋଟ ଦେବେ। ଟିଏମସି ରାଜ୍ୟରେ ଭାଜପା ବିରୋଧରେ ଜୋରଦାର ଲଢ଼େଇ ଜାରି ରଖିଛି।

ରାଜ୍ୟର ସାଗରଦିଘି ଉପ-ନିର୍ବାଚନରେ ଭାଜପା ଏବଂ କଂଗ୍ରେସ ଉଭୟ ଦଳ ସାମ୍ପ୍ରଦାୟିକତାର କାର୍ଡ ଖେଳିଛନ୍ତି, ଯେଉଁଥିପାଇଁ ଆମେ ସେଠାରେ ହାରିଥିଲୁ।

କଂଗ୍ରେସ ଏବଂ ବାମପନ୍ଥୀ ଦଳକୁ ଭୋଟ ଦେବା ଅର୍ଥ ହେଉଛି ଭାଜପାକୁ ଭୋଟ ଦେବା। ଯେତେବେଳେ କଂଗ୍ରେସ ଗୋଆ ଗଲା ସେତେବେଳେ ସେଠାରେ ଭାଜପା ମଧ୍ୟ ଉପକୃତ ହୋଇଥିଲା। ସେମାନଙ୍କ ଇତିହାସ ଭୋଟର ଜାଣିସାରିଛନ୍ତି ।

ଦିଦିଙ୍କ ଏହି ଏକଲା ଚଲୋ ନୀତି ମାଷ୍ଟର ଷ୍ଟ୍ରୋକ୍‌ ନା ବାଧ୍ୟବାଧକତା ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ୨୦୨୧ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଏବଂ ବାମ ଦଳ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେବେ ଟିଏମ୍‌ସିର ଟକ୍କର ସିଧାସଳଖ ଭାଜପା ସହିତ ହୋଇଥିଲା। ମମତାଙ୍କ ସହଯୋଗ ପାଇଁ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗଠାରୁ ନିଜକୁ ଦୂରେଇ ରଖିଥିଲେ। ରାହୁଲଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ କଂଗ୍ରେସ ବହୁ ସମାଲୋଚନା କରିଥିଲା।

Share