Categories: ଜାତୀୟ

ରାହୁଲଙ୍କୁ ରାଜୀବଙ୍କ ପୁଅ ବୋଲି ପ୍ରମାଣ ମାଗିଛୁ କି

ନୂଆଦିଲ୍ଲୀ,୧୨ା୨: ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱଶର୍ମା ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଉତ୍ତରାଖଣ୍ଡ ଯାଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପୁଅ ବୋଲି ଭାଜପା କେବେ ପ୍ରମାଣ ମାଗିନାହିଁ ବୋଲି ହିମନ୍ତ କହିଛନ୍ତି। ୨୦୧୬ରେ ଉରି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ପାକିସ୍ତାନ ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଭାକ୍ସିନକୁ ନେଇ କଂଗ୍ରେସ ବାରମ୍ବାର ସନ୍ଦେହ ବ୍ୟକ୍ତ କରୁଥିବାରୁ ସେ ଏପରି ଟାର୍ଗେଟ କରିଛନ୍ତି।
ହିମନ୍ତ ପୂର୍ବରୁ କଗ୍ରେସରେ ଥିଲେ। ୨୦୧୫ରେ ସେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସେ ଏବେ ପ୍ରଚାରରେ ଲାଗିଛନ୍ତି। ଏହି ଅବସରରେ ହିମନ୍ତ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ସବୁବେଳେ ଜେନେରାଲ ବିପିନ ରାଓ୍ବତ୍‌ଙ୍କ ନେତୃତ୍ୱାଧୀନ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଛି ଏବଂ କୋଭିଡ୍‌-୧୯ ଟିକାର ସତ୍ୟତା ଉପରେ ପ୍ରଶ୍ନ କରୁଛି। ଆମେ କେବେ ରାହୁଲଙ୍କୁ ରାଜୀବଙ୍କ ପୁଅ ଭାବେ ପ୍ରମାଣ ମାଗିଛୁ କି? ତୁମେ କେଉଁ ବାପର ପୁଅ? ସେନାକୁ ପ୍ରମାଣ ମାଗିବାକୁ ତୁମକୁ କିଏ ଅଧିକାର ଦେଲା? ଯଦି ଆମ ଯବାନମାନେ ପାକିସ୍ତାନରେ ପ୍ରବେଶ କରି ଆକାଶମାର୍ଗରୁ ଆକ୍ରମଣ କରିଥିବା କହୁଛନ୍ତି ତେବେ ତାହା ଚୂଡ଼ାନ୍ତ।
ଆସାମ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, କଂଗ୍ରେସ ଧ୍ରୁବୀକରଣ ରାଜନୀତି କରୁଛି। ସେମାନଙ୍କ ମତରେ ଭାରତ ଏକ ରାଷ୍ଟ୍ର ନୁହେଁ, ବରଂ କେତୋଟି ରାଜ୍ୟର ମିଶ୍ରଣ। ଏସବୁ ଶୁଣିବା ପରେ ଜଣେ ମନେକରିବ ଯେ ଜିନ୍ନାଙ୍କ ଆମତ୍ା କଂଗ୍ରେସ ଭିତରକୁ ପ୍ରବେଶ କରିଛି। ସେମାନେ କହୁଛନ୍ତି, ମଦ୍ରାସା ଓ ମୁସଲିମ୍‌ ୟୁନିଭର୍ସିଟି ଖୋଲାଯିବା ଉଚିତ ପଦକ୍ଷେପ। ହିଜାବ ପିନ୍ଧିବା ଯୁକ୍ତିଯୁକ୍ତ ବୋଲି ସେମାନେ ଯୁକ୍ତି ବାଢ଼ୁଛନ୍ତି। ସ୍କୁଲ କଲେଜଗୁଡ଼ିକ ପାଠପଢ଼ା ପାଇଁ ଉଦ୍ଦିଷ୍ଟ, ଫ୍ୟାଶନ ଶୋ’ କରିବାକୁ ନୁହେଁ। କିଏ କ’ଣ ପିନ୍ଧିଲା ଆମର କିଛି କହିବାର ନାହିଁ। କିନ୍ତୁ ଆଜି ଶିକ୍ଷାନୁଷ୍ଠାନଗୁଡ଼ିକରେ ମୁସଲମାନ ଝିଅମାନେ ହିଜାବ ପିନ୍ଧିଲେ କାଲି ହିନ୍ଦୁମାନେ ଆଉ କେଉଁ ସ୍ବତନ୍ତ୍ର ପୋଷାକ ପିନ୍ଧିବାକୁ ଚାହିଁବେ। ଖ୍ରୀଷ୍ଟିଆନ୍‌ମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଡ୍ରେସ୍‌ ପିନ୍ଧିବେ। ମୁସଲମାନ ସମ୍ପ୍ରଦାୟର ଝିଅମାନଙ୍କୁ ହିଜାବ ଏଜେଣ୍ଡାରେ ଛନ୍ଦିଦେଲେ ସେମାନେ କେବେ ଡାକ୍ତର କି ଇଞ୍ଜିନିୟର ହୋଇପାରିବେ ନାହିଁ ବୋଲି କଂଗ୍ରେସ ମନେକରୁଥିବାରୁ ଏହାର ଧ୍ରୁବୀକରଣ ରାଜନୀତିକୁ ଶେଷ କରାଯିବା ଉଚିତ। ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ମୂଳପୋଛ ହୋଇଯିବ ବୋଲି ହିମନ୍ତ କହିଛନ୍ତି।

Share