ଡିଆଇଡି ସୁପର ମମର ବିଜେତା ହେଲେ ହରିୟାଣାର ଶ୍ରମିକ ବର୍ଷା ବୁମରା

ମୁମ୍ବାଇ,୨୬ ।୯: ଡିଆଇଡି ସୁପର ମମ ଟ୍ରଫି ଜିତି ବର୍ଷା ବୁମରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ସ୍ୱପ୍ନକୁ ପୂରା କରିବାକୁ ହେଲେ ସାହସ ଦରକାର । ତା’ହେଲେ ବଡ କାମ ବି ସହଜରେ କରିହୁଏ । ଶ୍ରମିକ ଭାବେ କାମ କରୁଥିବା ବର୍ଷା ଡିଆଇଡି ସୁପର ମମ ବିଜେତା ହୋଇ ସାଢେ ୭ ଲକ୍ଷ ଟଙ୍କା ସହ ଟ୍ରଫି ଜିତିଛନ୍ତି । ଏହାପରେ ବର୍ଷା କହିଛନ୍ତି ଜୀବନରେ ସେ କେବେ ଏତେ ଟଙ୍କା ଦେଖି ନ ଥିଲେ । ତେବେ ଯେଉଁମାନଙ୍କଠାରୁ ସେ କରଜ କରି ମୁମ୍ବାଇ ଆସିଥିଲେ ଫେରିଲେ ପ୍ରଥମେ ସେ ସେମାନଙ୍କ ଋଣ ସୁଝିବେ ଓ ଅବଶିଷ୍ଟ ଟଙ୍କାରେ ସେ ତାଙ୍କ ପୁଅ ପାଇଁ ଘରଟିଏ ତିଆରି କରିବେ ବୋଲି କହିଛନ୍ତି ।
ଟ୍ରଫି ଜିତିବା ପରେ ବର୍ଷା କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି । କାରଣ ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ମୁଁ ବିଜୟୀ ହୋଇଛି । ଏପର୍ଯ୍ୟନ୍ତ ମୋର ଜର୍ଣ୍ଣି ଖୁବ୍ ସୁନ୍ଦର ରହିଛି । ମୁମ୍ବାଇରେ କାଟିଥିବା ୩ ମାସ ମୋ ଜୀବନର ସବୁଠାରୁ ସୁନ୍ଦର ସମୟ । ସ୍ୱପ୍ନ ଦେଖିବାର କୌଣସି ବୟସ ନାହିଁ । ଯଦି ନିଜ ଭିତରେ କିଛି କ୍ୱାଲିଟି ଅଛି ତେବେ ପରିସ୍ଥିତି ବା ପରିବେଶର କୌଣସି ମାନେ ନାହିଁ । ତେବେ ବର୍ଷାଙ୍କର ଏହି ଯାତ୍ରାରେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ସହଯୋଗ କରିଥିବା ସେ କହିଛନ୍ତି ।

Share