ବିରାଟ କୋହଲିଙ୍କ କାରଣରୁ କେନ ୱିଲିୟମସନ ଅବସର ନେଇଥିଲେ କି? ଏହି ଜଣାଶୁଣା ବ୍ୟାଟର କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କେନ ୱିଲିୟମ୍ସନ ଚଳିତ ଜୁନ ମାସରେ ଅନ୍ତର୍ଜାତୀୟ କ୍ରିକେଟ ଛାଡିବା ପାଇଁ ହଠାତ ନିଷ୍ପତ୍ତି ନେଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୱିଲିୟମ୍ସନ ଏବେ ପ୍ରକାଶ କରିଛନ୍ତି ଯେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କୁ ସ୍ପଷ୍ଟତା ପାଇବାରେ ସାହାଯ୍ୟ କରିଥିଲେ, ଯାହା ଅବସର ନେବାର ନିଷ୍ପତ୍ତିକୁ ସହଜ କରିଥିଲା।
ଅବସର ଘୋଷଣା କରିବା ପୂର୍ବରୁ, ୱିଲିୟମ୍ସନ କୋହଲିଙ୍କୁ ତାଙ୍କର ଯୋଜନା ଜଣାଇବାକୁ ମେସେଜ କରିଥିଲେ। ବିରାଟଙ୍କ ସହ ଆଲୋଚନା ପରେ, କିୱି ମହାନ ଖେଳାଳି ତାଙ୍କର ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ଜୁନ ମାସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ୱିଲିୟମ୍ସନଙ୍କ ଘୋଷଣା ହଠାତ ଆସିଥିଲା। ଏହି ନିଷ୍ପତ୍ତି ବିଶେଷ ଭାବରେ ଆଶ୍ଚର୍ଯ୍ୟଜନକ ଥିଲା କାରଣ ତାଙ୍କର ବୟସ ମାତ୍ର ୩୬ ବର୍ଷ – ଅନ୍ତର୍ଜାତୀୟ କ୍ରିକେଟ ଛାଡିବା ପାଇଁ ଏକ ତୁଳନାତ୍ମକ କମ ବୟସ।
‘ବିଟୱିନ ଦ ଟୁ ବିୟର୍ସ’ (Between the Two Bears) ପଡକାଷ୍ଟରେ କଥାବାର୍ତ୍ତା ବେଳେ କୋହଲି କହିଲେ, ‘ମୁଁ ମୋର ଅତି ନିକଟତର ଏବଂ ଯେଉଁମାନଙ୍କ ଉପରେ ମୁଁ ଗଭୀର ଭରସା କରେ, ସେଭଳି କେତେଜଣ ଲୋକଙ୍କ ସହ ଆଲୋଚନା କରିଥିଲି। ଅବସର ଘୋଷଣା କରିବାର ଗୋଟିଏ ଦିନ ପୂର୍ବରୁ ମୁଁ ବିରାଟ କୋହଲିଙ୍କ ସହ କଥା ହୋଇଥିଲି। ଏହା ସତରେ ଏକ ଦର୍ପଣରେ ନିଜକୁ ଦେଖିବା ଭଳି ଥିଲା। ଏହି ଖେଳରେ ଦୀର୍ଘ ଦିନ ଧରି ଆମ ଉଭୟଙ୍କର ଯେଉଁ ଅନୁଭୂତି ରହିଛି, ଆମେ ତାହା ପରସ୍ପର ସହ ବାଣ୍ଟିଲୁ। କୋହଲି ଏବେ ମଧ୍ୟ କ୍ରିକେଟ ଖେଳୁଛନ୍ତି, କିନ୍ତୁ ସେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୋର ବିଶ୍ୱାସ ଯେ ଦଳର ଅନେକ ଖେଳାଳି ଏଭଳି ପରିସ୍ଥିତି ଦେଇ ଗତି କରିଛନ୍ତିଯେଉଁଠାରେ ସେମାନଙ୍କୁ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ସହିତ ପିଲାମାନଙ୍କର ଲାଳନପାଳନ ମଧ୍ୟ କରିବାକୁ ପଡ଼ିଥାଏ।’
ୱିଲିୟମସନ ଏବଂ କୋହଲିଙ୍କୁ ଆଧୁନିକ କ୍ରିକେଟର ‘ଫ୍ୟାବ ଫୋର୍‌’ (Fab Four) ବା ଚାରିଜଣ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ଉଭୟ ଖେଳାଳି ଦୀର୍ଘ ସମୟ ଧରି କ୍ରିକେଟର ତିନୋଟିଯାକ ଫର୍ମାଟରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇ ଆସିଛନ୍ତି। ଯଦିଓ କୋହଲି ଏବେ ମଧ୍ୟ ଦିନିକିଆ (ODI) କ୍ରିକେଟ ଖେଳୁଛନ୍ତି, ତଥାପି ଟେଷ୍ଟ କ୍ରିକେଟ କ୍ଷେତ୍ରରେ ଉଭୟଙ୍କ ସ୍ଥିତି ପ୍ରାୟ ସମାନ ରହିଛି: କୋହଲି, ଯିଏ କେବେ ଟେଷ୍ଟ କ୍ରିକେଟରେ ୧୦,୦୦୦ ରନ ସଂଗ୍ରହ କରିବାର ସ୍ବପ୍ନ ଦେଖିଥିଲେ, ସେ ଏହି ମାଇଲଖୁଣ୍ଟ ଛୁଇଁବାରେ ବିଫଳ ହୋଇଥିଲେ। ସେହିଭଳି, କେନ ୱିଲିୟମସନ ମଧ୍ୟ ଟେଷ୍ଟ କ୍ରିକେଟରେ ୧୦,୦୦୦ ରନର ସୀମା ଅତିକ୍ରମ କରିପାରି ନାହାନ୍ତି।

Dharitri – Odisha’s No.1, Most Trusted Odia Daily

Share