ଶୁଦ୍ଧିକ୍ରିୟା ଭୋଜି ଖାଇ ​ସୁନାଖାଏନ ଗାଁରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୨ଜଣଙ୍କ ଜୀବନ

​ଝାରସୁଗୁଡ଼ା/ଲଖନପୁର,୨୪ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସୁନାଖାଏନ ଗ୍ରାମରେ ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଭାବେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ ସୁନାଖାଏନ ଗାଁର ଉଲ୍ଲାସ ଖଡ଼ିଆ (୪୧) ଓ ସୁକାନ୍ତି ଖଡ଼ିଆ (୬୫)।
​ଘଟଣା ସମ୍ପର୍କରେ ଖବର ପାଇ ପଲସଦା ପିଏସସିର ଏକ ମେଡିକାଲ ଟିମ୍ ତୁରନ୍ତ ଗ୍ରାମରେ ପହଞ୍ଚି ଚିକିତ୍ସା ସେବା ଆରମ୍ଭ କରିଛନ୍ତି ।​ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତମାନେ ଗତ ଗୁରୁବାର ଦିନ ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ନୁଆଁଡ଼ିହି ଗାଁକୁ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଆକ୍ରାନ୍ତମାନଙ୍କ ମଧ୍ୟରେ ଫକିର ଖଡ଼ିଆ, ମଞ୍ଜରୀ ଖଡ଼ିଆ, ଏଞ୍ଜେଲିନା ଖଡ଼ିଆ ଏବଂ ରଶ୍ମି ଖଡ଼ିଆ ଥିବା ଜଣାପଡ଼ିଛି।
​​ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶଶୀ ଶେଖର ସେଠଙ୍କ ସୂଚନା ଅନୁସାରେ ​ଶନିବାର ରାତି ପ୍ରାୟ ୧୨ଟା ସମୟରେ ଉଲ୍ଲାସ ଖଡ଼ିଆ, ସୁକାନ୍ତି ଖଡ଼ିଆଙ୍କ ସମେତ ୪ ଜଣ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।​ ଉଲ୍ଲାସ ଖଡ଼ିଆଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।​ ସୁକାନ୍ତି ଖଡ଼ିଆ ରବିବାର ସକାଳ ୫:୩୦ ମିନିଟ୍‌ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ​ଡାକ୍ତର ସେଠ୍‌ଙ୍କ ସୂଚନା ଅନୁଯାୟୀ, ଫକୀର ଖଡ଼ିଆଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ରଖାଯାଇଛି । ​ରଶ୍ମି ଖଡ଼ିଆ (୧୨) ଚିକିତ୍ସାଳୟର ଶିଶୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ​ବାକି ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଗାଁରେ ମେଡିକାଲ ଟିମ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରହିଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଶଶୀ ଶେଖର ସେଠ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share