ଦିଗପହଣ୍ଡି/ପାଟପୁର,୨୨।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତି କାୟା ବିସ୍ତାର କରୁଛି। ମଙ୍ଗଳବାର ଝାଡାବାନ୍ତିରେ ସଂକ୍ରମିତ ହୋଇ ଗାଁ ନିକଟ କ୍ୱାକ ଦ୍ୱାରା ଚିକିତ୍ସାଧୀନ ସମ୍ବାରୁ ମଲ୍ଲିକ(୬୦) ଏବଂ କାନ୍ଦରା ମଲ୍ଲିକ(୬୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ସେହିପରି ଝାଡାବାନ୍ତିରେ ଗ୍ରାମର ୧୦ରୁ ଊଦ୍ଧର୍ବ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକୁରି ମଲ୍ଲିକ ନାମ୍ନୀ ଜଣେ ବୃଦ୍ଧାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ବାହନ ଦାସଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ସୂଚନା ନାହିଁ। କିନ୍ତୁ ସେଠାକାର ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି।
ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଫାସିଗୁଡା ଗ୍ରାମରେ ଗତ ଶନିବାରଠାରୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ୫ଜଣ ଏଥିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସେମାନେ ହେଲେ ଫାସିଗୁଡା ଗ୍ରାମ ନୂଆସାହିର କାଶି ନାୟକ, ସୁବୁଦ୍ଧି ପ୍ରଧାନ, ସୀମାଞ୍ଚଳ ମଣ୍ଡଳ, ଲଗ୍ନା ବିଶ୍ବାଳ, ଜାଡି ନାୟକ।
ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।
ପୂର୍ବରୁ ବ୍ଳକ ଅଧୀନ ସହଦେବ ଟିକରପଡା ପଞ୍ଚାୟତର ଜନଜାତି ବହୁଳ ଉସ୍ତପଲ୍ଲୀ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୩ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଏହାକୁ ଅସ୍ବୀକାର କରାଯାଇଥିଲା ।
ଫାସିଗୁଡ଼ା ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ବ୍ଳକ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗ୍ରାମରେ ଭ୍ରାମ୍ୟମାଣ ମେଡିକାଲ ଟିମ୍ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଝାଡ଼ାବାନ୍ତି ପ୍ରତିରୋଧକ ଔଷଧ ବଣ୍ଟନ କରିଥିଲେ।
ସେହିପରି ଗ୍ରାମ୍ୟ ଓ ଜଳ ପରିମଳ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ପାଣି ନମୁନା ପରୀକ୍ଷଣ କରିବା ସହ ଗ୍ରାମରେ ରହିଥିବା ସମସ୍ତ ନଳକୂପଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହ ବିଶୋଧନ କରିଥିବା ଜଣାପଡ଼ିଛି । ବ୍ଳକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ, ସରପଞ୍ଚ ଗୌରୀ ବିଷୋୟୀ , ସରପଞ୍ଚଙ୍କ ପ୍ରତିନିଧି ଶିବରାମ ପ୍ରଧାନ ପ୍ରମୁଖ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଘରକୁ ଘର ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନତା କରୁଛନ୍ତି।


