ବ୍ୟାପୁଛି ଝାଡ଼ାବାନ୍ତି, ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଦଶମନ୍ତପୁର/କୋଡିଙ୍ଗା, ୨୫।୮(ଡି.ଏନ୍‌.ଏ.): କୋରାପୁଟ ଓ ନବରଙ୍ଗପୁରରେ ଝାଡ଼ାବାନ୍ତି ଥମିବାର ନାଁ ନେଇନି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ଭୟର ବାତାବରଣ। ଜିଲା ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତିରେ ମଙ୍ଗଳବାର ଜଣେ ୨ବର୍ଷର ଶିଶୁଙ୍କ ସମେତ ୫ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନେ ହେଲେ ଡୁମ୍ବାଗୁଡା ପଞ୍ଚାୟତ ଅଧୀନ କାଳିଆମ୍ବ ଗାଁର ପାତ୍ର ମାଣ୍ଡିଙ୍ଗା (୪୦), ଅସନାଥ କୁଲେସିକା (୪୦), ନିଲାଇ ହିକ୍‌କା(୨୫) ଏବଂ ଫୁଲନ୍ତି ମାଣ୍ଡିଙ୍ଗାଙ୍କ ୨ବର୍ଷର ଝିଅ ଗାୟତ୍ରୀ। ଚିକାମ୍‌ ସଦର ପଞ୍ଚାୟତର ଊର୍ମିଳା ଭତ୍ରା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୁର୍କାର ସଦର ପଞ୍ଚାୟତ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇବାପରେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶ୍ରୀରାମ ପରିଡ଼ା ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିପରି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମୋଚାଗାଁ ପଞ୍ଚାୟତ ବାଗ୍ରା ଗ୍ରାମର ଶୋଭା ମୁଦୁଲି(୨୫) ଏବଂ ଡମେନ ମୁଦୁଲି (୪୫) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କର୍ଚ୍ଚାମାଳ ପଞ୍ଚାୟତ ଗୁମଣ୍ଡଳୀରେ ଝାଡାବନ୍ତି ବ୍ୟାପି ୧୫ଜଣ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀ ଦଳ ଗାଁରେ ପହଞ୍ଚତ୍ ୮ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛି। ଗୁରୁତର ୫ଜଣଙ୍କୁ କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୨ ଜଣଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଝାଡାବାନ୍ତି ଉଗ୍ରରୂପ ଯେପରି ନ ନେବ ସେ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଜ୍ଞାନ ରଞ୍ଜନ ପାଢୀଙ୍କ ନେତୃତ୍ୱରେ ଡାକ୍ତରୀଦଳ ଗ୍ରାମରେ ସଜାଗ ରହି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଆବଶ୍ୟକୀୟ ଔଷଧ ଦେଉଛନ୍ତି। ଝାଡାବାନ୍ତି ଯେପରି ନ ବ୍ୟାପେ ସେଥିପାଇଁ ଡ୍ରେନଗୁଡିକୁ ସଫା କରାଯାଇ ଡିଡିଟି ପକାଇ ବିଷୋଧନ କରାଯାଇଛି। ଜଳ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ଥିବା ସମସ୍ତ ନଳକୂଅ ପାଣିକୁ ପରୀକ୍ଷା କରାଯିବା ସହ ଏଥିରେ ଔଷଧ ପକାଯାଇଛି। ଗ୍ରାମର ମୁଦୁଲି ସାହିରେ ଥିବା ନଳକୂପରୁ ବାହାରୁଥିବା ପାଣି ଲୋକଙ୍କୁ ବ୍ୟବହାର ନ କରିବା ପାଇଁ ସଚେତନ କରାଯିବା ସହ ନଳକୂଅକୁ ପଲିଥିନ ବାନ୍ଧି ବନ୍ଦ କରିଦିଆଯାଇଛି। ଗ୍ରାମରେ ଆଶା, ଅଙ୍ଗନବାଡି ଓ ସ୍‌ୱାସ୍ଥ୍ୟ କର୍ମୀ ପ୍ରତ୍ୟେକ ଘରକୁ ଯାଇ ସଚେତନ କରୁଛନ୍ତି।