କଳାହାଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଦୁର୍ଗମ ଟର୍ଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଖବର ପାଇ କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ଟର୍ଲିଆମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କ ଚିକିତ୍ସା କରିଥିଲେ। ଏହାପରେ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଆଉ ଏକ ମେଡ଼ିକାଲ ଟିମ୍‌ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଥିଲେ। ଗାଁର ନୁନୋଇ ମାଝୀ(୫୦), ଲଛମା ମାଝୀ(୬୦), କମଳ ମାଝୀ(୨୧), ରୁଦମା ମାଝୀ(୧୮), ଦୁର୍ଯ୍ୟୋ ମାଝୀ(୩୫) ଓ ଜଣେ ଶିଶୁ ବେବି ମାଝୀ (୬) ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ କୋକସରା ଡାକ୍ତରଖାନାରେ ନୁନୋଇ ମାଝୀ ଓ ବେବି ମାଝୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ନେଇ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ଶୁକ୍ରବାର ଗାଁରେ ମେଡିକାଲ ଟିମ୍‌ ସହ ଗ୍ରାମ୍ୟ ପରିମଳ ବିଭାଗ କର୍ମଚାରୀ ପହଞ୍ଚି ଗାଁରେ ଥିବା ନଳକୂପକୁ ବିଶୋଧନ କରିବା ସହ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି।