ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନ ଏବଂ ଫିଲ୍ମ ଶୁଟିଂ ସମୟରେ ସାମ୍ନା କରିଥିବା କିଛି ଚ୍ୟାଲେଞ୍ଜ ବିଷୟରେ ଖୁଲାସା କରିଛନ୍ତି।
ଦିଆ ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତୁମସା ନହିଁ ଦେଖା’ର ଗୀତ ‘ମୁଝେ ତୁମସେ ମୋହବତ ହୈ’ର ଶୁଟିଂ ସହ ଜଡ଼ିତ ଏକ ଅନୁଭୂତି ଶେୟାର କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଗୀତର ଶୁଟିଂ ତାଙ୍କ ପାଇଁ ଅତ୍ୟନ୍ତ କଠିନ ଥିଲା। ତେବେ ଏହି ଅନୁଭୂତି ତାଙ୍କୁ ନିଜ ଶରୀରକୁ ନେଇ ଆତ୍ମବିଶ୍ୱାସୀ ହେବାରେ ମଧ୍ୟ ସାହାଯ୍ୟ କରିଥିଲା।
ନିକଟରେ ଦେଇଥିବା ସାକ୍ଷାତକାରରେ ଦିଆ କହିଛନ୍ତି , ଗୀତର ଶୁଟିଂ ସମୟରେ ତାଙ୍କୁ ସେଟ୍ରେ ଉପସ୍ଥିତ ଅନେକ ପୁରୁଷଙ୍କ ସାମ୍ନାରେ ଛୋଟ ପୋଷାକରେ ଅଭିନୟ କରିବାକୁ ପଡ଼ିଥିଲା। ଆରମ୍ଭରେ ଏହା ତାଙ୍କ ପାଇଁ ସହଜ ନଥିଲା। ଦିଆଙ୍କ ଅନୁସାରେ, କୋରିଓଗ୍ରାଫର ବୈଭବୀ ମର୍ଚ୍ଚାଣ୍ଟ ଏବଂ ପୂରା ଟିମ ତାଙ୍କୁ ସୁରକ୍ଷିତ ଅନୁଭବ କରାଇଥିଲେ। ସେ କହିଛନ୍ତି , ଜଣେ ଯୁବତୀ ଭାବେ ଏହା ତାଙ୍କ କ୍ୟାରିୟରର ସବୁଠାରୁ କଠିନ ଅନୁଭୂତିଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା।
ତେବେ ସେତେବେଳକୁ ଦିଆ ଏହା ବୁଝିସାରିଥିଲେ ଯେ ଜଣେ ଅଭିନେତ୍ରୀଙ୍କ ପାଇଁ ଚରିତ୍ରର ସତ୍ୟତା ଏବଂ ସେହି ଚରିତ୍ର ମାଧ୍ୟମରେ କ’ଣ ପ୍ରକାଶ କରିବାକୁ ହେଉଛି, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଟ୍ରେ କେତେ ଲୋକ ଉପସ୍ଥିତ ଅଛନ୍ତି, ତାହା ତାଙ୍କ ପାଇଁ ବଡ଼ କଥା ନଥିଲା।
ଦିଆ କହିଛନ୍ତି , ସେ ହାଇଦ୍ରାବାଦର ଏକ କନଜରଭେଟିଭ ପରିବାରରୁ ଆସିଛନ୍ତି। ଏକ ସମୟରେ ନିଜ ଶରୀରକୁ ନେଇ ସେ ବେଶୀ ଆତ୍ମବିଶ୍ୱାସୀ ନଥିଲେ। କିନ୍ତୁ ‘ତୁମସା ନହିଁ ଦେଖା’ରେ କାମ କରିବା ପରେ ତାଙ୍କ ମଧ୍ୟରେ ବଡ଼ ପରିବର୍ତ୍ତନ ଆସିଥିଲା।
ବିଶେଷକରି ‘ମୁଝେ ତୁମସେ ମୋହବତ ହୈ’ ଗୀତ ତାଙ୍କୁ ନିଜ ଶରୀରକୁ ନେଇ ଅଧିକ ସ୍ବାଭାବିକ ଓ ଆତ୍ମବିଶ୍ୱାସୀ କରିଥିଲା ବୋଲି ସେ କହିଛନ୍ତି। ଦିଆଙ୍କ ମତରେ, ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନରେ ସାମ୍ନା କରିଥିବା ଏଭଳି ଅନୁଭୂତି ତାଙ୍କୁ ଆଜିର ଅଭିନେତ୍ରୀ ଭାବେ ଗଢ଼ିବାରେ ସାହାଯ୍ୟ କରିଛି। ଜୀବନର ଗତ ୨୫ ବର୍ଷର ଅନୁଭୂତିରୁ ସେ ନିରନ୍ତର ଶିଖୁଛନ୍ତି ଏବଂ ଆଗକୁ ମଧ୍ୟ ନିଜକୁ ଆହୁରି ଉନ୍ନତ କରିବା ଜାରି ରଖିବେ ବୋଲି ଦିଆ କହିଛନ୍ତି।
କହିରୁଖୁଛୁ ଯେ ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତୁମସା ନହିଁ ଦେଖା’ରେ ଦିଆ ମିର୍ଜା ଜଣେ ବାର୍ ଡାନ୍ସରଙ୍କ ଚରିତ୍ରରେ ଅଭିନୟ କରିଥିଲେ। ସେହିପରି ଇମ୍ରାନ ହାଶମୀ ଫିଲ୍ମରେ ଜଣେ ଧନୀ ଯୁବକଙ୍କ ଭୂମିକା ତୁଲାଇଥିଲେ। ଫିଲ୍ମର କାହାଣୀ ପ୍ରେମ ଏବଂ ପରିବାରର ଚାପକୁ କେନ୍ଦ୍ର କରି ଗତିଶୀଳ ହୋଇଥିବା ବେଳେ, ଏହା ହଲିଉଡ ଫିଲ୍ମ ‘ପ୍ରିଟି ୱୁମେନ’ରୁ ପ୍ରେରିତ ହୋଇଥିଲା। ଅନୁରାଗ ବସୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଅନୁପମ ଖେର ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।

