ଧ୍ରୁବତାରା ରହସ୍ୟ

ପୃଥିବୀର ଅକ୍ଷକୁ ଉତ୍ତରକୁ ବଢ଼ାଇଲେ ତାହା ଯେଉଁ ବିନ୍ଦୁରେ ଆକାଶଗୋଲକୁ ସ୍ପର୍ଶ କରେ ତାହାକୁ ଆକାଶର ଧ୍ରୁବ କହନ୍ତି। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଦ୍ୱାରା ସବୁ ତାରା ଦୈନିକ ଆକାଶରେ ବୃତ୍ତାକାର ପଥରେ ଗତି କରୁଥିବାର ଜଣାପଡ଼ନ୍ତି। ଆକାଶଗୋଲର ବିଶୁବରେଖା ନିକଟରେ ଥିବା ତାରାଗୁଡ଼ିକ ବଡ଼ ବଡ଼ ବୃତ୍ତରେ ଗତି କରୁଥିଲାବେଳେ ଉଭୟ ଧ୍ରୁବ ନିକଟସ୍ଥ ତାରାସବୁ କ୍ଷୁଦ୍ରାକୃତ୍ତି ବୃତ୍ତରେ ଘୂରିଥାନ୍ତି। ରାତ୍ରି ଆକାଶର ଏହି ଚିରାଚରିତ ଗତିଶୀଳ ପୃଷ୍ଠ ଉପରେ ଠିକ୍‌ ଧ୍ରୁବ ଉପରେ ଥିବା ଏକ ତାରା ହିଁ ସ୍ଥିର ରହିଥାଏ। ଏହାକୁ ଧ୍ରୁବତାରା କହନ୍ତି।
ଧ୍ରୁବତାରା ଏକ ସ୍ଥିର ତାରା ହୋଇଥିବାରୁ କେଉଁ ଆବହମାନ କାଳରୁ ସମୁଦ୍ରଗାମୀ ନାବିକମାନେ ରାତିରେ ଏହାକୁ ଲକ୍ଷ୍ୟକରି ବିଶାଳ ସମୁଦ୍ରରେ ଦିଗ ନିରୂପଣ କରିଆସୁଛନ୍ତି। କୌଣସି ସ୍ଥାନରେ ଧ୍ରୁବତାରାର କୌଣିକ ଉନ୍ନତି ହିଁ ସେହି ସ୍ଥାନର ଅକ୍ଷାଂଶ। ଫଳରେ ନାବିକ ଧ୍ରୁବତାରା ସାହାଯ୍ୟରେ ମଧ୍ୟ ନିଜର ଅବସ୍ଥାନ ନିରୂପଣ କରିପାରେ।
ଆମ ପୁରାଣ ଅନୁସାରେ ଧ୍ରୁବଲୋକ ଭଗବାନ ବିଷ୍ଣୁଙ୍କର ପ୍ରିୟ ଭକ୍ତ ଧ୍ରୁବଙ୍କର ଆସ୍ଥାନ। ଧ୍ରୁବ ସ୍ବୟଂଭୁବ ମନୁଙ୍କ ସନ୍ତାନ ରାଜା ଉତ୍ତାନପାଦଙ୍କ ପୁତ୍ର। ବିମାତାଙ୍କ ଦ୍ୱାରା ଲାଞ୍ଛିତ ହେଲାପରେ ବାଳକ ଧ୍ରୁବ ସଂସାର ପ୍ରତି ବୀତସ୍ପୃହ ହୋଇ ବିଷ୍ଣୁଙ୍କୁ ଧ୍ୟାନ କରେ। ବିଷ୍ଣୁ ତା’ ଭକ୍ତିରେ ସନ୍ତୁଷ୍ଟ ହୋଇ ମୃତ୍ୟୁ ପରେ ତାକୁ ଧ୍ରୁବଲୋକରେ ଅବସ୍ଥାନ କରିବା ନିମନ୍ତେ ବର ପ୍ରଦାନ କରନ୍ତି। ତତ୍ପରେ ଧ୍ରୁବ ରାଜ୍ୟକୁ ଫେରିଯାଇ ପ୍ରଜାମାନଙ୍କ ଦ୍ୱାରା ବିପୁଳ ଅଭିନନ୍ଦିତ ହୁଅନ୍ତି ଓ ସୁଖରେ ପ୍ରଜାପାଳନ କରନ୍ତି। ପ୍ରାପ୍ତ ବର ଅନୁସାରେ, ସେ ନିଜର ମୃତ୍ୟୁ ଅନ୍ତେ ଧ୍ରୁବଲୋକରେ ଅବସ୍ଥାନପୂର୍ବକ ଲୋକମାନଙ୍କୁ ଦିଗ ଓ ଅକ୍ଷାଂଶ ଚିହ୍ନେଇବାରେ ସାହାଯ୍ୟ କରିଆସୁଛନ୍ତି।
ଧ୍ରୁବର ଅର୍ଥ ହେଉଛି ଚିରନ୍ତନ ସତ୍ୟ। ଆମ ପୁରାଣ ବିଶ୍ୱାସ କରେ ଯେ, ଧ୍ରୁବଲୋକ ସର୍ବଦା ସ୍ଥିର ତଥା ଅପରିବର୍ତ୍ତନୀୟ ଏବଂ ଏପରି କି ସେଠାରେ ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ନାହିଁ। ମାତ୍ର ଏହା କ’ଣ ସତ୍ୟ କି? ବାସ୍ତବରେ ଏହା ସତ୍ୟ ନୁହେଁ। କାରଣ, ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ସଙ୍ଗେସଙ୍ଗେ ଏହାର ଅକ୍ଷ ମଧ୍ୟ ଏକ ଶଙ୍କୁ ଆକାର ପଥରେ ଧୀରେ ଧୀରେ ଅଗ୍ରସର ହେଉଥାଏ। ଏହାର କାରଣ ହେଲା, ପୃଥିବୀ ନିଜର ବିଶୁବରେଖାଠାରେ ଅଧିକ ସ୍ଫୀତ ହୋଇଥିବାରୁ ଏହି ଅଂଶ ଉପରେ ସୂର୍ଯ୍ୟ ଓ ଚନ୍ଦ୍ରର ଏକ ଅତିରିକ୍ତ ମିଳିତ ଆକର୍ଷଣ ବଳ କାର୍ଯ୍ୟକାରୀ ହୁଏ, ଯାହା ପୃଥିବୀର ଅକ୍ଷକୁ ବିସ୍ଥାପିତ କରିବା ପାଇଁ ଚେଷ୍ଟା କରେ। ଗତିବିଜ୍ଞାନର ନିୟମ ଅନୁଯାୟୀ, କୌଣସି ଘୂର୍ଣ୍ଣାୟମାନ ବସ୍ତୁର ଅକ୍ଷକୁ ବିସ୍ଥାପିତ କରିବା ପାଇଁ ଏକ ବଳ ପ୍ରଯୁକ୍ତ ହେଲେ ଏହାର ଅକ୍ଷ ତା’ର ପ୍ରତିରୋଧ କରି ଏକ ଶଙ୍କୁ ଆକାର ପଥରେ ଘୂରିଥାଏ। ଏହାକୁ ‘ପ୍ରିସେସନ ଗତି’ କହନ୍ତି।
ପୃଥିବୀ ଅକ୍ଷର ଏହି ପ୍ରିସେସନ ଗତି ଯୋଗୁ ଏହାର ଅକ୍ଷ ବିଭିନ୍ନ ସମୟରେ ଆକାଶର ଭିନ୍ନ ଭିନ୍ନ ଦିଗକୁ ମୁଁହ କରିଥାଏ। ମାତ୍ର ପୃଥିବୀ କ୍ଷେତ୍ରରେ ଏହି ଗତି ଏତେ ମନ୍ଥର ଯେ, ଏହାର ଅକ୍ଷକୁ ଗୋଟିଏ ବୃତ୍ତ ସମ୍ପୂର୍ଣ୍ଣ ଘୂରି ଆସିବାକୁ ହେଲେ ଦୀର୍ଘ ୨୬,୦୦୦ ବର୍ଷ ସମୟ ଲାଗିଥାଏ। ଅର୍ଥାତ୍‌, ଏହା ବର୍ଷକୁ ମାତ୍ର ୫୦.୨ ମିନିଟ୍‌ କୋଣ ଅତିକ୍ରମ କରିଥାଏ, ଯାହା ୧ ଡିଗ୍ରୀଠାରୁ ମଧ୍ୟ କମ୍‌। ସୁତରାଂ ବିଗତ ବର୍ଷଗୁଡ଼ିକରେ ଅନେକ ତାରା ଆମ ଆକାଶଗୋଲର ଧ୍ରୁବର ନିକଟବର୍ତ୍ତୀ ହୋଇ କ୍ରମେ ଦୂରେଇ ଯାଇଛନ୍ତି।
ବର୍ତ୍ତମାନ ଯେଉଁ ତାରାଟି ଆମର ଉତ୍ତର ଧ୍ରୁବ ନିକଟରେ ଅଛି, ତାକୁ ସାଧାରଣତଃ ଧ୍ରୁବତାରା କୁହାଯାଉଥିଲେ ସୁଦ୍ଧା ଏହାର ପ୍ରକୃତ ନାମ ପୋଲାରିସ୍‌। ଏହା କିନ୍ତୁ ଠିକ୍‌ ଧ୍ରୁବ ଉପରେ ନ ରହି ବରଂ ଧ୍ରୁବଠାରୁ ୧୦ ଡିଗ୍ରୀ କୋଣରେ ଛାଡ଼ିକରି ରହିଛି। ଫଳରେ ଏହା ମଧ୍ୟ ଅନ୍ୟ ତାରାଙ୍କ ଭଳି ଧ୍ରୁବ ଚାରିପଟେ ଘୂରିଥାଏ। ଅବଶ୍ୟ ଏହା ଏତେ ଛୋଟ ବୃତ୍ତରେ ଘୂରେ ଯେ ତାହା ଆମକୁ ଜଣା ନ ପଡ଼ି ତାରାଟି ସ୍ଥିର ରହିଲା ପରି ଦେଖାଯାଏ। ପୁନଶ୍ଚ, ଆମର ଉତ୍ତର ଧ୍ରୁବ ନିକଟରେ ଅନ୍ୟ କୌଣସି ଉଜ୍ଜ୍ୱଳ ତାରା ନ ଥିବାରୁ ଏହି ପୋଲାରିସ୍‌ ତାରାକୁ ହିଁ ଧ୍ରୁବତାରା ରୂପେ ଧରି ନିଆଯାଇଛି।
ପୋଲାରିସ୍‌ ତାରାଟି ଶିଶୁମାର ନକ୍ଷତ୍ରମଣ୍ଡଳର ପୁଚ୍ଛଭାଗରେ ତଥା ସପ୍ତର୍ଷିମଣ୍ଡଳର ସମ୍ମୁଖରେ ରହିଛି। ଏହା ଏକ ଦ୍ୱିତୀୟ ଉଜ୍ଜ୍ୱଳତର ତାରା ହୋଇଥିବାରୁ ଖାଲି ଆଖିକୁ ସ୍ପଷ୍ଟ ଜଣାପଡୁ ନ ଥିଲେ ସୁଦ୍ଧା କିଟିକିଟିଆ କଳା ଅନ୍ଧାର ରାତିରେ ଏହା ଉତ୍ତର ଆକାଶରେ ଦପ୍‌ଦପ୍‌ ହୋଇ ଆଲୁଅ ପ୍ରଦାନ କରୁଥିବାର ଏକ ଜ୍ୟୋତିଷ୍କ ରୂପେ ବେଶ୍‌ ବାରି ହୋଇପଡ଼େ। ବାସ୍ତବ କ୍ଷେତ୍ରରେ ଏହା ଦୁଇଟି ତାରାଙ୍କୁ ନେଇ ଗଠିତ। ଦ୍ୱିତୀୟ ତାରାଟି ଖାଲି ଆଖିକୁ ଦେଖାଯାଉ ନ ଥିଲେ ମଧ୍ୟ ଦୂରବୀକ୍ଷଣ ଯନ୍ତ୍ରରେ ସ୍ପଷ୍ଟ ଦେଖାଯାଏ। କୌତୂହଳର କଥା ହେଉଛି ଯେ, ଏହି ତାରାଟି ପୀତ୍ତବର୍ଣ୍ଣର ଗୋଟିଏ ବିଶାଳକାୟ ନକ୍ଷତ୍ର ଯାହା ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ନିଜର ଉଜ୍ଜ୍ୱଳତା ହ୍ରାସ ବୃଦ୍ଧି କରିଥାଏ।
ଆମର ଏହି ପୋଲାରିସ୍‌ ଧ୍ରୁବତାରାକୁ ଚିହ୍ନିବା ଅତି ସହଜ। ଉତ୍ତର ଆକାଶରେ ଦୃଶ୍ୟ ହେଉଥିବା ପ୍ରଶ୍ନବାଚକ ଚିହ୍ନ ଆକୃତ୍ତିର ସପ୍ତର୍ଷିମଣ୍ଡଳର ପ୍ରଥମ ଦୁଇଟି ତାରାଙ୍କୁ ଯୋଗକରି ପ୍ରାୟ ପାଞ୍ଚଗୁଣ ବାଟ ଆଗକୁ ଗଲେ ଏହି ତାରାଟି ପଡ଼େ। ଧ୍ରୁବତାରା ଚାରିପଟେ ସପ୍ତର୍ଷିମଣ୍ଡଳ ରାତିସାରା ଘୂରୁଥିବା ସତ୍ତ୍ୱେ ଏହାର ପ୍ରଥମ ଦୁଇଟି ତାରା ସଦାସର୍ବଦା ଧ୍ରୁବତାରାକୁ ନିର୍ଦ୍ଦେଶ କରିଥାନ୍ତି। ପୁରାଣରେ ବର୍ଣ୍ଣିତ ଅଛି ଯେ, ସପ୍ତର୍ଷିମଣ୍ଡଳରେ ଅଧିଷ୍ଠିତ ସାତଜଣ ପ୍ରାଚୀନ ଋଷି ଧ୍ରୁବଙ୍କୁ ଧ୍ୟାନପୂର୍ବକ ରାତିସାରା ପ୍ରଦକ୍ଷିଣ କରିଥାନ୍ତି। ପୁନଶ୍ଚ, ସପ୍ତର୍ଷିମଣ୍ଡଳ ସାତୋଟି ଉଜ୍ଜ୍ୱଳ ତାରାଙ୍କୁ ନେଇ ଗଠିତ ଏକ ଦର୍ଶନୀୟ ନକ୍ଷତ୍ରମଣ୍ଡଳ ହୋଇଥିବାରୁ ଏହାର ଉପସ୍ଥିତି ଆମର ଏହି ଚଳିତ ଧ୍ରୁବତାରାକୁ ଅନ୍ୟ ବିଗତ ଧ୍ରୁବତାରା ଅପେକ୍ଷା ବିଶେଷ ମାନ୍ୟତା ପ୍ରଦାନ କରିଛି।
ହିସାବରୁ ଜଣାପଡ଼େ, ଏହି ତାରାଟି ପୃଥିବୀର ପ୍ରିସେସନ୍‌ ଗତି ଯୋଗୁ ବିସ୍ଥାପିତ ହୋଇ ଆକାଶଗୋଲର ପ୍ରକୃତ ଧ୍ରୁବ ଆଡ଼କୁ କ୍ରମଶଃ ଅଗ୍ରସର ହେଉଛି ଏବଂ ଆଗାମୀ ୨୧୦୦ ଖ୍ରୀଷ୍ଟାବ୍ଦ ବେଳକୁ ଏହା ନିକଟତର ହୋଇ ଧ୍ରୁବଠାରୁ ମାତ୍ର ୧ ଡିଗ୍ରୀ ଦୂରତା ମଧ୍ୟରେ ଅବସ୍ଥାନ କରିବ। ତା’ପରେ ଏହା କ୍ରମଶଃ ଦୂରେଇ ଯାଇ ସମୟକ୍ରମେ ଆମ ପାଇଁ ଏକ ଅନାମଧ୍ୟେୟ ନକ୍ଷତ୍ରରେ ପରିଣତ ହେବ। ଏହା ଅତୀତରେ କଦାପି ଆମର ଧ୍ରୁବତାରା ନ ଥିଲା। ଗଣନାରୁ ଜଣାଯାଏ, ପୀରାମିଡ୍‌ ସବୁର ନିର୍ମାଣ ସମୟରେ ତକ୍ଷକ ନକ୍ଷତ୍ରମଣ୍ଡଳର ଥୁବାନ୍‌ ନାମକ ଏକ ତାରା ସେତେବେଳର ଧ୍ରୁବତାରା ଥିଲା ଏବଂ ଏହା ଏବେ ଦୂରକୁ ଘୁଞ୍ଚତ୍ଗଲାଣି। ଆଜିଠାରୁ ପ୍ରାୟ ୧୨,୦୦୦ ବର୍ଷ ପରେ ଅଭିଜିତ୍‌ (Vega) ନକ୍ଷତ୍ରମଣ୍ଡଳର ଏକ ତେଜୀୟାନ ତାରା ଧ୍ରୁବତାରାର ସ୍ଥାନ ମଣ୍ଡନ କରିବ। ସୁତରାଂ ଆମର ବହୁଚର୍ଚ୍ଚିତ ଧ୍ରୁବତାରାଟି ଯେ ପ୍ରକୃତରେ ଏକ ଧ୍ରୁବ କିମ୍ବା ସ୍ଥିର ତାରା ନୁହେଁ, ଏହା ଅବିଶ୍ୱାସ ହେଲେ ମଧ୍ୟ ସତ୍ୟ!
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri