IPL ୨୦୨୭ ଅକ୍ସନ୍‌ ପୂର୍ବରୁ ବଡ଼ ହଲଚଲ୍‌! ଧୋନୀଙ୍କ ସମେତ ୫ ଚାମ୍ପିଅନ୍‌ ଖେଳାଳି ବାଦ୍‌

ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ମିନି ଅକ୍ସନ୍‌ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ଏଥର ଅନେକ ବଡ଼ ନାମକୁ ଦଳରୁ ବାଦ୍‌ ଦିଆଯାଇଛି । ଏହି ତାଲିକାରେ ୫ ଜଣ ଚାମ୍ପିଅନ୍‌ ଖେଳାଳିଙ୍କ ନାମ ରହିଛି, ଯାହା କ୍ରିକେଟ୍‌ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । କେତେକ ଖେଳାଳି ନିଜ ଇଚ୍ଛାରେ ରିଲିଜ୍‌ ହୋଇଥିବା ବେଳେ ଆଉ କେତେକଙ୍କୁ ଫ୍ରାଞ୍ଚାଇଜି ବାଦ୍‌ ଦେଇଛି ।

ଏହି ତାଲିକାରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଏମ୍‌ଏସ୍‌ ଧୋନୀଙ୍କର । ଚେନ୍ନାଇ ସୁପର କିଙ୍ଗ୍ସର ଏହି ଦିଗ୍‌ଗଜ ଖେଳାଳି IPLରୁ ଅବସର ନେଇଥିବାରୁ ଆଗକୁ ମଇଦାନରେ ଖେଳୁଥିବା ନଜର ଆସିବେ ନାହିଁ। ତେବେ ସେ ମେଣ୍ଟର ଭାବେ ଦଳ ସହ ଯୋଡ଼ି ହୋଇପାରନ୍ତି।ଦ୍ୱିତୀୟ ବଡ଼ ନାମ ହେଉଛନ୍ତି ଟ୍ରାଭିସ୍‌ ହେଡ୍‌ । ସନ୍‌ରାଇଜର୍ସ ହାଇଦ୍ରାବାଦର ଏହି ବିସ୍ଫୋରକ ବ୍ୟାଟର୍‌ ୱାର୍କଲୋଡ୍‌ ମ୍ୟାନେଜମେଣ୍ଟ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ ଉପରେ ଧ୍ୟାନ ଦେବାକୁ ନିଜେ ରିଲିଜ୍‌ ହେବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି । ସେ ୧୪ କୋଟି ଟଙ୍କାରେ ଦଳରେ ସାମିଲ ଥିଲେ ।

ତୃତୀୟ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ। ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୦ କୋଟି ଟଙ୍କାରେ ଦଳରେ ଥିବା ଏହି ବୋଲର୍‌ଙ୍କୁ ରିଲିଜ୍‌ କରିଛି । ସେହିପରି କୋଲକାତା ନାଇଟ୍‌ ରାଇଡର୍ସ ୧୮ କୋଟି ଟଙ୍କାରେ କିଣିଥିବା ମଥିଶା ପଥିରାନାଙ୍କୁ ମଧ୍ୟ ଦଳରୁ ବାଦ୍‌ ଦେଇଛି । ପଞ୍ଚମ ଖେଳାଳି ହେଉଛନ୍ତି ଟ୍ରେଣ୍ଟ ବୋଲ୍ଟ । ମୁମ୍ବାଇ ଇଣ୍ଡିଆନ୍ସ ୧୨.୫୦ କୋଟି ଟଙ୍କାରେ ଦଳରେ ରଖିଥିବା ଏହି ବାମହାତୀ ଦ୍ରୁତ ବୋଲର୍‌ଙ୍କୁ ମଧ୍ୟ ରିଲିଜ୍‌ କରିଛି ।

ଏବେ ସମସ୍ତଙ୍କ ନଜର ଡିସେମ୍ବର ୧୬ ତାରିଖରେ ଗୋଆରେ ହେବାକୁ ଥିବା IPL ୨୦୨୭ ମିନି ଅକ୍ସନ୍‌ ଉପରେ । ଏହି ଅକ୍ସନ୍‌ରେ ଉକ୍ତ ଖେଳାଳିଙ୍କ ମଧ୍ୟରୁ କାହାକୁ ନୂଆ ଦଳ ମିଳୁଛି ଏବଂ କିଏ ବିନା ବିକ୍ରିରେ ରହୁଛନ୍ତି, ତାହା ଦେଖିବାକୁ କ୍ରିକେଟ୍‌ ପ୍ରଶଂସକ ଅପେକ୍ଷା କରିଛନ୍ତି ।

 

Dharitri – Odisha’s No.1 Odia Daily

Share